ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ୨୦ ମାର୍ଚ୍ଚକୁ ଧାର୍ଯ୍ୟ ହୋଇଛି । ଅର୍ଥାତ୍ ଆସନ୍ତାକାଲି ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ମିଳିବ ଫାଶୀ । ତେବେ ବର୍ତମାନ ଏହି ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ ଦେଖାଦେଲାଣି । କାରଣ ଆଜି ସୁପ୍ରିମକୋର୍ଟରେ ରହିଛି ପବନ ଗୁପ୍ତାର ଆବେଦନର ଶୁଣାଣି । ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଛି ୨୦୧୨ ମସିହାରେ ଯେତେବେଳେ ଏହି କାଣ୍ଡ ଘଟିଥିଲା ସେତେବେଳେ ସେ ନାବାଳକ ଥିଲା । ତେଣୁ ତା’ର ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ ସଜା କରାଯାଉ । ଆଜି ସୁପ୍ରିମକୋର୍ଟର ୬ ଜଣିଆ ବେଂଚ ଏହି ମାମଲାର ଶୁଣାଣି କରିବେ ।

Advertisment

publive-image

ସେପଟେ ନିର୍ଭୟା ମାମଲାରେ ଅନ୍ୟତମ ଦୋଷୀ ମୁକେଶକୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ଝଟକା । ମୁକେଶ କୋର୍ଟରେ ଆବେଦନ କରିଥିଲା ଯେ ୨୦୧୨ ମସିହାରେ ଡିସେମ୍ୱର ୧୬ ରେ ସେ ଦିଲ୍ଲୀରେ ହିଁ ନଥିଲା । ତେବେ ମୁକେଶର ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅନ୍ୟପଟେ ପଟିଆଲା ହାଉସ କୋର୍ଟରେ ନିର୍ଭୟା ଦୋଷୀଙ୍କ ଓକିଲ ଏପି ସିଂ ଫାଶୀ ଦଣ୍ଡାଦେଶ ରଦ୍ଦ କରିବାକୁ ନୂଆ ଆବେଦନ କରିଛନ୍ତି । ଆଜି ପଟିଆଲା ହାଉସ କୋର୍ଟ ଏନେଇ ଶୁଣାଣି କରିବେ । ଏସବୁକୁ ନେଇ ନିର୍ଭୟା ଦୋଷୀଙ୍କ ଆସନ୍ତାକାଲି ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ହେବା ନେଇ ଦେଖାଦେଲାଣି ସନ୍ଦେହ ।