ମୃତ୍ୟୁର ନୂଆ ପରୱାନା । ଆସନ୍ତା ଫେବ୍ରୁଆରୀ ପହିଲା ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାକାଣ୍ଡର ୪ ସୈତାନ ।

928

କନକ ବ୍ୟୁରୋ : ଫେବ୍ରୁଆରୀ ୧ରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମକାରୀ । ସକାଳ ୬ଟାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ ମୁକେଶ, ଅକ୍ଷୟ, ବିନୟ ଓ ପୱନ । ଏନେଇ ନୂଆ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିୟାଲା ହାଉସ୍ କୋର୍ଟ । ଏହାପୂର୍ବରୁ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି । ତେଣୁ ଏମାନଙ୍କୁ ଫାଶୀ ଦେବା ନେଇ ରାସ୍ତା ଏକରକମ ପରିଷ୍କାର ହୋଇଯାଇଥିଲା ।

ପୂର୍ବରୁ ଜାନୁଆରୀ ୨୨ରେ ନିର୍ଭୟ ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ଦୋଷୀଙ୍କ ପକ୍ଷରୁ ରାଜକ୍ଷମା ଆବେଦନ କରାଯିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । ଡିସେମ୍ବର ୨୦୧୨ରେ ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟାଙ୍କୁ ଗଣଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ । ଏହାର ୧୧ ଦିନ ପରେ ଆଖି ବୁଜିଥିଲେ ନିର୍ଭୟା । ପରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ଯେଉଁଥିରେ ଜଣେ ନାବାଳକ ମଧ୍ୟ ସାମିଲ ଥିଲା । ତେଣୁ ତାଙ୍କୁ ସୁଧାର ଗୃହରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା । ତେବେ ତିହାର ଜେଲରେ ମୁଖ୍ୟ ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ବେଳେ ବାକି ୪ ଦୋଷୀଙ୍କୁ ଆସନ୍ତା ଫେବ୍ରୁଆରୀ ୧ରେ ଫାଶୀ ଦିଆଯିବ ।