ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ ? ମହିଳା ଦିବସରେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ପୁତ୍ତଳିକାକୁ ଦିଆଗଲା ଫାଶୀ ।

3,104

କନକ ବ୍ୟୁରୋ : ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରିଜଣ ଦୋଷୀଙ୍କ ବିରୋଧରେ ନୂଆ ମୃତ୍ୟୁ ପରଓ୍ଵାନା ଜାରି କରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି ।

ତେବେ, ଦୋଷୀମାନଙ୍କର ବାରମ୍ବାର ଫାଶୀ ତାରିଖ ଘୁଞ୍ଚିବା ଦେଖି ଜନସାଧାରଣ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାରାଣାସୀର ଗଙ୍ଗା ଘାଟରେ ଚାରିଜଣ ଦୋଷୀ ମୁକେଶ କୁମାର ସିଂହ, ପଓ୍ଵନ୍‌ କୁମାର ଗୁପ୍ତା, ବିନୟ କୁମାର ଶର୍ମା ଓ ଅକ୍ଷୟ ଠାକୁରର ପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି ।

ପୁତ୍ତଳିକାକୁ ଫାଶୀରେ ଝୁଲାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବି କରାଯାଇଥିଲା । ଏଥିପାଇଁ ଗଙ୍ଗା ଘାଟରେ ନାଟକୀୟ ଶୈଳୀରେ କୋର୍ଟ କରାଯାଇ ଦୁଇପକ୍ଷର ଓକିଲ ଓ ବିଚାରପତିଙ୍କୁ ଉପସ୍ଥିତ କରାଯାଇଥିଲା । ଏହି ନାଟକରେ ଜଣେ ମହିଳାଙ୍କୁ ନିର୍ଭୟାଙ୍କ ମା’ କରାଯାଇଥିଲା । ସେ ଗଙ୍ଗା ଘାଟରେ ନିର୍ଭୟାର ଚାରିଜଣ ଦୋଷୀଙ୍କ ପ୍ରତୀକ ପୁତ୍ତଳିକାକୁ ଫାଶୀ ଦେଇଥିଲେ । ଏଥିରେ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲା । ଏହି ଦୃଶ୍ୟକୁ ଦେଖିବା ପରେ ଉପସ୍ଥିତ ଲୋକଙ୍କ ଲୋମମୂଳ ଟାଙ୍କୁରି ଉଠିଥିଲା ।

ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରିଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଗୋଟେ ପରେ ଗୋଟେ ତାରିଖ ଘୁଞ୍ଚିବାରେ ଲାଗିଛି । ଏଭଳି ପରିସ୍ଥିତିରେ ନିର୍ଭୟାଙ୍କ ମା’ ଭାଙ୍ଗି ପଡ଼ୁଥିବା ବେଳେ ପୁଣି ମନକୁ ଦୃଢ଼ କରି ଝିଅକୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡି ଲଢ଼ିବାକୁ ପୁର୍ନବାର ପ୍ରସ୍ତୁତ ହେଉଛନ୍ତି । ଏହି ଚାରିଜଣ ଦୋଷୀଙ୍କ ବିରୋଧରେ ଚତୁର୍ଥ ଥର ପାଇଁ ମୃତ୍ୟୁ ପରଓ୍ଵାନା ଜାରି କରାଯାଇଛି ।