ଆସନ୍ତାକାଲି ମିଳିବନି ଫାଶୀ, କାନ୍ଦି କାନ୍ଦି ନିର୍ଭୟାର ମା’ କହିଲେ ଏଥିପାଇଁ କେଜ୍ରିୱାଲ ସରକାର ଦାୟୀ ।

672

କନକ ବ୍ୟୁରୋ : ଆସନ୍ତାକାଲି ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବନି । ପରବର୍ତୀ ନିଷ୍ପତି ଯାଏଁ ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଦୋଷୀଙ୍କ ଆଇନଗତ ପ୍ରକ୍ରିୟା ବାକି ରହିଥିବାରୁ ଏବେ ସେମାନଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ପଟିଆଲା ହାଉସ କୋର୍ଟ କହିଛନ୍ତି । ଫାଶୀ ଦଣ୍ଡ ଘୁଞ୍ଚିବା ପରେ ନିର୍ଭୟାଙ୍କ ମାଆ ଅସନ୍ତୋଷ ପ୍ରକାଶ କରିବା ସହ ଏଥିପାଇଁ ଦିଲ୍ଲୀର କେଜରିୱାଲ ସରକାରକୁ ଦାୟୀ କରିଛନ୍ତି ।

ରାତି ପାହିଥିଲେ ହୋଇଥାନ୍ତା ଫାଶୀ । ଫାଶୀଖୁଣ୍ଟରେ ଝୁଲିଥାନ୍ତେ ୪ ନରରାକ୍ଷସ । କିନ୍ତୁ ଯେଉଁ ପଟିଆଲା ହାଉସ କୋର୍ଟ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ ଆଜି ସେହି ପଟିଆଲ ହାଉସ କୋର୍ଟ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି । ଆଉ ଏଭଳି ନିଷ୍ପତିକୁ ନେଇ କାନ୍ଦି ପକାଇଛନ୍ତି ନିର୍ଭୟାଙ୍କ ବାପା ଓ ମା’ । ଏପରିକି ଫାଶୀ ଘୁଞ୍ଚିବା ପାଇଁ କେଜ୍ରିୱାଲ ସରକାରଙ୍କୁ ଦାୟୀ କରିଛନ୍ତି ନିର୍ଭୟାଙ୍କ ବାପା । କେବଳ କେଜ୍ରିୱାଲ କାହିଁକି ବରଂ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଏଥିପାଇଁ ଦାୟୀ ବୋଲି କହିଛନ୍ତି ନିର୍ଭୟାଙ୍କ ମା’ ।

ନ୍ୟାୟ ପାଇଁ ୮ ବର୍ଷ ହେବ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ଏଯାଏଁ ନ୍ୟାୟ ମିଳୁନାହିଁ । ଯେଉଁଥିପାଇଁ ଭାରତର ନ୍ୟାୟିକ ବ୍ୟବସ୍ଥା ହିଁ ଦାୟୀ । ଦୋଷୀଙ୍କ ଫାଶୀ ଟାଳିବାରେ ମୁଖ୍ୟତଃ ଅଡୁଆ ସୃଷ୍ଟି କରିଛି ତିହାର ଜେଲ ମାନୁଆଲ । ଏଥିରେ ଥିବା ନିୟମ ଅନୁସାରେ ଗୋଟିଏ ଅପରାଧ ପାଇଁ ଏକାଧିକ ଦୋଷୀ ରହିଥିଲେ, ଏବଂ କାହାରି ଜଣଙ୍କର ନ୍ୟାୟିକ ବିକଳ୍ପ ବାକି ଥିଲେ ଅନ୍ୟମାନଙ୍କୁ ମଧ୍ୟ ଫାଶୀ ଦେଇହେବ ନାହିଁ ।

ଆଇନ ବିଶାରଦଙ୍କ କହିବା ହେଲା ଫାଶୀ ତାରିଖକୁ ଟାଳିବା ପାଇଁ ନିର୍ଭୟା ଦୋଷୀମାନେ ପର୍ଯ୍ୟାୟକ୍ରମେ ନ୍ୟାୟିକ ବିକଳ୍ପଗୁଡିକୁ ବ୍ୟବହାର କରୁଛନ୍ତି । ଫଳରେ ଜଣେ ଅନ୍ୟ ଜଣଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇବାରେ ସମର୍ଥ ହେଉଛନ୍ତି । ଏଭଳି ପ୍ରକ୍ରିୟା ଜାରି ରହିଲେ, ପୁଣି କିଛିଦିନ ଘୁଂଚିପାରେ ନିର୍ଭୟା ଦୋଷୀଙ୍କ ଫାଶୀ । ହେଲେ ଦୀର୍ଘ ୭ ବର୍ଷ ହେଲା ନ୍ୟାୟ ପାଇଁ ଅପେକ୍ଷା କରିଥିବା ନିର୍ଭୟାଙ୍କ ପରିବାରକୁ ଖୁବ ବ୍ୟଥିତ କରିଛି ଦେଶର ନ୍ୟାୟ ବ୍ୟବସ୍ଥାରେ ଥିବା ଏହି ଦୁର୍ବଳତା ।

ଦେଶର ନ୍ୟାୟ ବ୍ୟବସ୍ଥାରେ ଥିବା ଗଳାବାଟକୁ ବ୍ୟବହାର କରି ବାରମ୍ବାର ଫାଶୀ ତାରିଖ ଗଡାଇ ଚାଲିଛନ୍ତି ନିର୍ଭୟା ଦୋଷୀ । ପ୍ରଥମେ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବା ପାଇଁ ଡେଥ ୱାରେଂଟ ଜାରି କରିଥିଲେ ପଟିଆଲା କୋର୍ଟ । ହେଲେ ମୁକେଶର ରାଜକ୍ଷମା ଆବେଦନକୁ ଆଳକରି ଲାଗିଗଲା ରୋକ୍ । ନୂଆ ଡେଥ ୱାରେଂଟ ସହ, ଫେବ୍ରୁଆରୀ ୧ରେ ଫାଶୀ ଦେବାକୁ ନୂଆ ତାରିଖ ସ୍ଥିର ହେଲା । କିନ୍ତୁ ଏବେ ବିନୟର ରାଜକ୍ଷମା ଆବେଦନ ପାଇଁ ପୁଣି ଲାଗିଯାଇଛି ରୋକ୍ । ଅନ୍ୟ ଦୁଇ ଦୋଷୀଙ୍କ ପାଖରେ ମଧ୍ୟ ଏହି ନ୍ୟାୟିକ ବିକଳ୍ପ ବାକି ରହିଛି । ତେଣୁ କେବେ ଦୋଷୀଙ୍କୁ ଫାଶୀ ମିଳିବ, ତାକୁ ନେଇ ବିରାଟ ଦ୍ୱନ୍ଦ୍ୱ ରହିଛି । ଏପଟେ କିନ୍ତୁ ନିଜକୁ ନାବାଳକ ଦର୍ଶାଇ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିବା ପବନ ଗୁପ୍ତାର ଆବେଦନ ଖାରଜ ହୋଇଯାଇଛି । ପୂର୍ବରୁ ଏହି ଆବେଦନ ଓ ସର୍ବୋଚ୍ଚ ଅଦାଲତରେ ଖାରଜ ହୋଇଥିବା ବେଳେ ଏହାର ପୁନର୍ବିଚାର ପାଇଁ ଆବେଦନ କରିଥିଲା ପବନ ।