ନିର୍ଭୟା ପାଇଁ ଶେଷ ନିଶ୍ୱାସ ଯାଏଁ ଲଢିବି : ଝିଅର ନ୍ୟାୟ ପାଇଁ ୭ ବର୍ଷର ସଂଘର୍ଷ … ମିଳିଛି ତାରିଖ ପରେ ତାରିଖ କିନ୍ତୁ ହାର୍ ମାନିନାହିଁ ମା’ର ମନ । 

1,021

ଫାଶୀ ଫାଶୀ କହି ଲଗାତାର ୩ ଥର ଫୁଶ୍ ହେଲାଣି ଫାଶୀ ତାରିଖ । ନିର୍ଭୟା ମାମଲାରେ ପୁଣି ଟଳିଛି ଫାଶୀ ତାରିଖ । ଟଳିଛି ୪ ଯୌନପିପାସୁଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ତାରିଖ । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଫାଶୀ ଉପରେ ରୋକ ଲଗାଇଛି ଦିଲ୍ଲୀ ପଟିଆଲା ହାଉସ କୋର୍ଟ  । ଏହାକୁ ଲଗାଇ ତୃତୀୟ ଥର ପାଇଁ ଫାଶୀ ତାରିଖକୁ ଟାଳିଦିଆଯାଇଛି । ଏପଟେ ଝିଅ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାରର ନ୍ୟାୟ ପାଇବା ପାଇଁ କୋର୍ଟକଚେରୀର ଚକ୍କର ଲଗାଉଛନ୍ତି ନିର୍ଭୟାଙ୍କ ମା’ । କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି , “ନିଜ ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୋର୍ଟ କାହିଁକି ଏତେ ସମୟ ନେଉଛନ୍ତି ? ଦୋଷୀମାନଙ୍କୁ କାହିଁକି ଫାଶୀ ଦିଆଯାଉ ନାହିଁ ? ଦୋଷୀମାନଙ୍କୁ ଫାଶୀ ଦେବାରେ ଲଗାତାର ବିଫଳ ହେଉଛି ଆମ ସିଷ୍ଟମ । କୋର୍ଟର ଏଭଳି ନିଷ୍ପତ୍ତି ଲୋକଙ୍କୁ ସନ୍ଦେଶ ଦେଉଛି ଯେ , ଦେଶର ନ୍ୟାୟ ବ୍ୟବସ୍ଥା ଅପରାଧୀଙ୍କୁ ସପୋର୍ଟ କରେ ।” ଝିଅର ନ୍ୟାୟ ପାଇଁ ହନ୍ତସନ୍ତ ହେଉଥିବା ଜଣେ ମା’ ସିଷ୍ଟମକୁ ଦୋଷୀମାନଙ୍କୁ ବଂଚାଇବା କଥା ମଧ୍ୟ କହିଥିଲେ ।

 

କିନ୍ତୁ ମାନିବାକୁ ପଡିବ ଆଶାଦେବୀଙ୍କୁ । କଷ୍ଟ , ଯନ୍ତ୍ରଣା ତାରିଖ ପରେ ତାରିଖ ପାଇ ବି ସେ ହାର୍ ମାନିନାହାନ୍ତି । ଝିଅର ନ୍ୟାୟ ପାଇଁ ଲଢେଇ ଜାରି ରଖି କହିଛନ୍ତି , ଦୋଷୀ ମୋତେ ଥକାଇବାକୁ ଚାହୁଁଛନ୍ତି କିନ୍ତୁ ମୁଁ ଆଦୌ ଥକିନାହିଁ । ମୁଁ ପ୍ରତିଦିନ ହାରେ କିନ୍ତୁ ପୁଣି ନିଜକୁ ସମ୍ଭାଳି ଉଠେ । ଯେଉଁ ପର୍ଯ୍ୟନ୍ତ ମୋ ଶେଷ ନିଶ୍ୱାସ ଚାଲିଥିବ ସେ ପର୍ଯ୍ୟନ୍ତ ମୁଁ ମୋ ଝିଅକୁ ନ୍ୟାୟ ଦେବାପାଇଁ ସଂଘର୍ଷ ଜାରି ରଖିବି । ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପରେ ହିଁ ମୁଁ ଶାନ୍ତିରେ ଶୋଇପାରିବି । ଏପଟେ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୁଷ୍ଟ ଥିବା ନିର୍ଭୟାଙ୍କ ପିତା ବଦ୍ରିନାଥ ସିଂହ କହିଛନ୍ତି , ଏହି ମାମଲାରେ ଜେଲ୍ ପ୍ରଶାସନର କିଛି ଅଭାବ ରହୁଛି ତେଣୁ ଦୋଷୀଙ୍କୁ ତାରିଖ ଉପରେ ତାରିଖ ମିଳୁଛି । ତେବେ ଆଗାମୀ ତାରିଖ ହିଁ ଦୋଷୀଙ୍କ ପାଇଁ ଅନ୍ତିମ ତାରିଖ ହେବ ବୋଲି ଦମ୍ପତି କହିଛନ୍ତି ।