ଚଳନ୍ତା ବସରେ ଚିତ୍କାର କରୁଥିଲେ ‘ନିର୍ଭୟା’ । ଚିତ୍କାରକୁ ଚୁପ କରି ଝୁଣି ଚାଲିଥିଲେ ନରପିଶାଚ । ଜାଣନ୍ତୁ ଆରମ୍ଭରୁ ଏଯାଏଁ ନିର୍ଭୟାକାଣ୍ଡର ପୂରା କାହାଣୀ…

3,853

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ ଆଜି ପୂରିଛି ୭ ବର୍ଷ । ଆଜିକୁ ଠିକ୍ ୭ ବର୍ଷ ତଳେ ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିବା ଗଣଦୁଷ୍କର୍ମ ପୂରା ଦେଶକୁ ଦୋହଲାଇ ଦେଇଥିଲା ।  ଯୌନରାକ୍ଷସଙ୍କ ଠାରୁ ରକ୍ଷା ପାଇବାକୁ ଚଳନ୍ତା ବସରେ ଚିତ୍କାର କରିଚାଲିଥିଲା ନିର୍ଭୟା । କିନ୍ତୁ କୋଳାହଳମୟ ସହରରେ କାହା କାନରେ ପଡିନଥିଲା ନିର୍ଭୟାର ସ୍ୱର । ବଳାତ୍କାରୀଙ୍କ କବଳରୁ ବଞ୍ଚିବାକୁ ନିର୍ଭୟାର ବୁକୁ ଫଟା ଚିତ୍କାର ସମସ୍ତଙ୍କ ସାମ୍ନାକୁ ଆସିବା ଆଗରୁ ଶେଷରେ ସବୁଦିନ ପାଇଁ ନିରବି ଯାଇଥିଲା ।

୨୦୧୨ ଡିସେମ୍ବର ୧୬ । ଦିଲ୍ଲୀର ଜଣେ ୨୩ ବର୍ଷୀୟ ପାରାମେଡିକାଲ ଛାତ୍ରୀଙ୍କୁ ବଳାତ୍କାର ସହ ଶାରୀରିକ ନିର୍ଯାତନା ଘଟଣା ସାମ୍ନାକୁ ଆସିଲା । ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ବଳାତ୍କାର କରିଥିଲେ ୬ ଜଣ ନରରାକ୍ଷସ । ଦୁଷ୍କର୍ମ କରିବା ପରେ ମନ ବୁଝିଲାନି ଯେ, ଯୁବତୀଙ୍କ  ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରି ନିଜ ରାକ୍ଷସ ପଣିଆର ପରିଚୟ ଦେଇଥିଲେ । ଚଳନ୍ତା ବସରେ ଚିତ୍କାର କରି ଚାଲିଥିଲେ ମଧ୍ୟ ଯୌନରାକ୍ଷସଙ୍କ ଚକ୍ରବ୍ୟୁହରୁ ଖସିପାରିନଥିଲେ । ସେଇ କିଛି ଘଣ୍ଟା ମଧ୍ୟରେ ନିର୍ଭୟାର ସ୍ୱରକୁ ସବୁଦିନ ପାଇଁ ଚାପି ଦେବାକୁ ଚେଷ୍ଟା କରିଥିଲେ ନରପିଶାଚ ।

ଘଟଣାର ୧୩ ଦିନ ପରେ ସିଙ୍ଗାପୁରରେ ଆଖି ବୁଜିଥିଲେ ପୀଡିତା । ଏଭଳି ଘୃଣିତ ଘଟଣାକୁ ନେଇ ସାରା ଦେଶରେ ହେଲା ତମ୍ବିତୋଫାନ । ଦେଶରେ ନାରୀ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସଡକ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ଥିଲା ଗୋଟିଏ ଦାବି ନିର୍ଭୟାକୁ ନ୍ୟାୟ ଦରକାର । ତେବେ ଏସବୁ ଭିତରେ ନିର୍ଭୟା ଗଣଦୁଷ୍କର୍ମର ୬ ନରପିଶାଚଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଘଟଣାରେ ୬ ଅଭିଯୁକ୍ତ ରାମ ସିଂହ, ମୁକେଶ ସିଂହ, ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ଜୁବେନାଇଲ୍ ମହମ୍ମଦ ଆଫ୍ରୋଜକୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବାକୁ ସାରା ଦେଶରେ ନାରା ଦିଆଗଲା ।

ଘଟଣାରେ ସଂପୃକ୍ତ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ, ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଥିଲେ ବସର ଡ୍ରାଇଭର । ୨୦୧୩ ମାର୍ଚ୍ଚରେ ତିହାର ଜେଲରେ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ ରାମ ସିଂ । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ସୁଧାରଗୃହରେ ୩ବର୍ଷ ରଖିବା ପରେ ଛାଡି ଦିଆଯାଇଥିଲା ।

୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ କରିଥିବାବେଳେ ଏହାକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଶେଷରେ ମେ ୫, ୨୦୧୭ରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଏହା ଭିତରେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ଭୟା ଦୋଷୀଙ୍କୁ ଏଯାଏଁ ଫାଶୀ ଦିଆଯାଇନାହିଁ । ତେବେ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିବା ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ବାଟ ଫିଟିଛି । ଆଉ ଏଥିପାଇଁ ତିହାର ଜେଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫାଶୀ ଦଉଡି ଯୋଗାଇଦେବା ପାଇଁ ବିହାରର ବକ୍ସର ଜେଲ ପ୍ରଶାସନକୁ କୁହାଯାଇଥିବା ବେଳେ  ଜହ୍ଲାଦ ଖୋଜା ଅଭିଯାନ ଏକପ୍ରକାର ଶେଷ ହୋଇଛି । ଏବେ ଅପେକ୍ଷା କେବେ ନିପାତ ହେବେ ଏହି ନରରାକ୍ଷସ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.