ନିର୍ଭୟା ଦୋଷୀଙ୍କ ନଅ ଲାଇଫଲାଇନ୍ । ପଢ଼ନ୍ତୁ…ଏବେବି ଏମାନଙ୍କ ମୃତ୍ୟୁର ରାସ୍ତାରେ କଣସବୁ ବାଧା ରହିଛି ?

2,136

କନକ ବ୍ୟୁରୋ: ନିର୍ଭୟା ଦୋଷୀଙ୍କ ପ୍ରଥମ ଫାଶୀ ତିରାଖ ଅର୍ଥାତ ଜାନୁଆରୀ ୨୨ ଟଳିଗଲା । ଏବେ ମୃତ୍ୟୁର ନୂଆ ତାରିଖ ଫେବ୍ରୁଆରୀ- ୧ । ୨୨ ଜାନୁଆରୀରେ ସକାଳ ୭ଟାରେ ଦିଆଯିବାର ଥିଲା ଫାଶୀ । ହେଲେ ୧ ଫେବ୍ରୁଆରୀରେ ସାକଳ ୬ଟାରେ ଦିଆଯିବ ଫାଶୀ । ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖକୁ ଦୁଇଥର ବଦଳାଇ ସାରିଲେଣି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଏବେ ଫେବ୍ରୁଆରୀ ୧ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି । ହେଲେ ଦୋଷୀ ରାଜକ୍ଷମା ଆବେଦନ କଲେ ପୁଣି ଟଳିପାରେ ଫାଶୀ ତାରିଖ ।

ଯଦି ଫାଶୀ ତାରିଖ ଆଗକୁ ବଢିଯାଏ କିମ୍ବା ପୁଣି ଟଳିଯାଏ, ତାହାହେଲେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଯଥେଷ୍ଟ ସମ୍ଭାବନା ଅଛି ଯେ, ଫାଶୀ ତାରିଖ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସ ଯାଏଁ ଟଳିଯାଇ ପାରେ । କାରଣ ମୃତ୍ୟୁକୁ ଟାଳିବା ପାଇଁ ନିର୍ଭୟା ଦୋଷୀଙ୍କ ପାଖରେ ଏବେ ବି ୯ଟି ଲାଇଫ ଲାଇନ ରହିଛି ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ମିଳିସାରିଛି । କିନ୍ତୁ ପ୍ରଶ୍ନ ହେଉଛି, କ’ଣ ଫେବ୍ରୁଆରୀ ୧ ତାରିଖରେ ଦିଆଯାଇପାରିବ ଫାଶୀ? ଏବଂ କ’ଣ ଫାଶୀ ସକାଳ ୬ଟାରେ ହିଁ ହେବ? ଆଜିଯାଏଁ ଆମେ କେବଳ କୋର୍ଟରୁ ତାରିଖ ପରେ ତାରିଖ ଡାଇଲଗ ହିଁ ଶୁଣିଆସୁଥିଲୁ । ହେଲେ ଏବେ ମୃତ୍ୟୁର ତାରଖ ମଧ୍ୟ ବଦଳିବାରେ ଲାଗିଛି । ଆଗକୁ ଫାଶୀ ଉପରେ ମଧ୍ୟ ତାରିଖ ପରେ ତାରିଖ ମିଳିବା ସମ୍ଭାବନା ରହିଛି । ତେଣୁ ଚାଲନ୍ତୁ ଚର୍ଚ୍ଚା କରିବା ନିର୍ଭୟାର ଦୋଷୀ ମୁକେଶ, ବିନୟ, ପବନ ଓ ଅକ୍ଷୟକୁ କେବେ ଦିଆଯିବ ଫାଶୀ? ଏମାନଙ୍କ ମୃତ୍ୟୁର ରାସ୍ତାରେ ଏବେ ବି କଣସବୁ ବାଧା ରହିଛି? ଏବଂ ଆହୁରି କେତେଦିନ ଏମାନଙ୍କ ଗଳାରୁ ଦୂରେଇ ରହିବ ଫାଶୀ ଦଉଡି?

ଦୋଷୀ ମୁକେଶ ନିକଟରେ ଗୋଟିଏ ଲାଇଫଲାଇନ୍

ନିର୍ଭୟାର ସମସ୍ତ ୪ ଦୋଷୀଙ୍କ ପାଖରେ ଏବେ ମୋଟି ୯ଟି ଲାଇଫଲାଇନ୍ ରହିଛି । ଅର୍ଥାତ ଏସବୁ ନ୍ୟାୟିକ ବିକଳ୍ପକୁ ପ୍ରୟୋଗ କରି ଫାଶୀ ତାରିଖକୁ ଆଉ କିଛିଦିନ ଟାଳିଦେଇ ପାରନ୍ତି ଏମାନେ । ଜଣ ଜଣ କରି ଏମାନଙ୍କ ବାବଦରେ ଚର୍ଚ୍ଚା କଲେ, ସବୁଠାରୁ କମ୍ ଅର୍ଥାତ ଗୋଟିଏ ଲାଇଫଲାଇନ ରହିଛି ଦୋଷୀ ମୁକେଶ ନିକଟରେ । କାରଣ ତାର ରିଭ୍ୟୁ ପିଟିସନ, କ୍ୟୁରେଟିଭ ପିଟିସନ ଓ ଶେଷରେ ରାଜକ୍ଷମା ଆବେଦନ ମଧ୍ୟ ଖାରଜ ହୋଇରାସିଛି । ତେଣୁ ତା ପାଖରେ ଯେଉଁ ଗୋଟିଏ ଲାଇଫଲାଇନ ରହିଛି ତାହା ହେଲା, ରାଷ୍ଟ୍ରପତି ଭବନରୁ ଖାରଜ ହୋଇଥିବା ରାଜକ୍ଷମା ଆବେଦନକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା । ଆଉଯଦି ତାହା ଖାରଜ ହୋଇଯାଏ, ତେବେ ତାକୁ ଫାଶୀ ଖୁଂଟରୁ କେହି ରକ୍ଷା କରିପାରିବେନି ।

ଦୋଷୀ ବିନୟ ପାଖରେ ୨ଟି ଲାଇଫଲାଇନ୍

ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟର ମଧ୍ୟ ରିଭ୍ୟୁ ଓ କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି । ହେଲେ ତା ପାଖରେ ରାଜକ୍ଷମା ଆବେଦନ ବିକଳ୍ପଟି ଏବେ ବି ଉପଲବ୍ଧ ଅଛି । ଆଉଯିଦ ରାଜକ୍ଷମା ଖାରଜ ହୋଇଯାଏ ତେବେ ଏହାକୁ ମଧ୍ୟ ସେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରିବ ।

ଦୋଷୀ ପବନ ନିକଟରେ ୩ଟି ଲାଇଫଲାଇନ୍

ନିର୍ଭୟାଙ୍କୁ ଦୁଷ୍କର୍ମ ସମୟରେ ଦୋଷୀ ପବନ ଶର୍ମା ନାବାଳକ ଥିଲା ବୋଲି ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ଏହାକୁ ଗତ ୨୦ ତାରିଖ ଅର୍ଥାତ ସୋମବାର ଖାରଜ କରିଦେଇଥିଲେ । ପୂର୍ବରୁ ତଳକୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହାକୁ ଖାରଜ କରିଥିଲେ । ତଥାପି ପବନ ପାଖରେ ଏବେ ବି ରହିଛି ୩ଟି ଲାଇଫଲାଇନ୍ । କାରଣ ପବନ ଆଜିଯାଏଁ କ୍ୟୁରେଟିଭ ପିଟିସନ୍ ଓ ରାଜକ୍ଷମା ଆବେଦନ କରିନାହିଁ । ସେହିପରି ରାଜକ୍ଷମା ଖାରଜ ହେଲେ ମଧ୍ୟ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରିବ ପବନ ।

ଦୋଷୀ ଅକ୍ଷୟ ପାଖରେ ବି ୩ଟି ଲାଇଫଲାଇନ୍

ସମସ୍ତ ୩ଟି ଯାକ ଲାଇଫଲାଇନ ରହିଛି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସିଂହ ନିକଟରେ । ପ୍ରଥମ- କ୍ୟୁରେଟିଭ ପିଟିସନ । ଦ୍ୱିତୀୟରେ- ରାଜକ୍ଷମା ଆବେଦନ । ତୃତୀୟରେ- ରାଜକ୍ଷମା ଖାରଜ ହେଲେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବାର ବିକଳ୍ପ । ଅର୍ଥାତ ବର୍ତମାନ ପର୍ଯ୍ୟନ୍ତ କାହାଣୀରୁ ଜଣାପଡୁଛି ଯେ, ମୁକେଶ କ୍ୟୁରେଟିଭରୁ ଆରମ୍ଭ କରି ରାଜକ୍ଷମା ଯାଏଁ ଆବେଦନ କରିସାରିଛି । ବିନୟର ରାଜକ୍ଷମା ଆବେଦନ ଏବେ ବି ବାକି ରହିଛି । ସେହିପରି ଅକ୍ଷୟ ଓ ପବନ ନିକଟରେ ଉଭୟ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ଲାଇଫଲାଇନ ବାକି ରହିଛି ।