ବହୁତ ଖେଳିଲ ଆଇନ ସହ ଲୁଚକାଳି ! ସୈତାନଙ୍କ ସବୁ ସୁଯୋଗ ଶେଷ, ଫାଶୀର ଫାଶରୁ ଆଉ ବର୍ତ୍ତିପାରିବେନି ନିର୍ଭୟାର ୪ ଦୋଷୀ ।

827

କନକ ବ୍ୟୁରୋ: ଏଥର ନିର୍ଭୟାକୁ ମିଳିବ ନ୍ୟାୟ । ଦୁଇ ଦୁଇଥର ‘ଫାଶୀ’ର ଫାଶରୁ ବର୍ତ୍ତି ଯାଇଥିବା ଯୌନରାକ୍ଷସଙ୍କ ଜୀବନ ଶେଷ ହେବ । ଆଉ ମିଳିବ ମୃତ୍ୟୁ ଦଣ୍ଡ । କାରଣ ମୃତ୍ୟୁର ନୂଆ ପରୱାନା ଅର୍ଥାତ୍ ଡେଥ୍ ୱାରେଣ୍ଟ ନେଇ ତାରିଖ ଘୋଷଣା କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ଆସନ୍ତା ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ୪ ସୈତାନଙ୍କୁ ଫାଶୀର ଖୁଣ୍ଟରେ ଝୁଲାଇ ଦିଆଯିବ ।

ସେପଟେ ଆଇନ କାନୁନ ସହ ଅନେକ ଲୁଚକାଳି ଖେଳ ଖେଳୁଥିବା ୪ ସୈତାନଙ୍କ ଶେଷ ସୁଯୋଗ ମଧ୍ୟ ଶେଷ ହୋଇଯାଇଛି । ଯେଉଁ ଚରୁରତାର ସହ ବାରମ୍ବାର ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଜଣକ ପରେ ଜଣେ ରାଜକ୍ଷମା ଆବେଦନ କରି ଚକ୍ରାନ୍ତ କରୁଥିଲେ ସେଥିରେ ଯବନିକା ପଡ଼ିଯାଇଛି । ଆଇନ ଆଖିରେ କଳାପଟି ବାନ୍ଧିବାର ସବୁସୀମା ସୈତାନମାନେ ଟପିଯିବା ପରେ ଶେଷରେ ଫାଶୀର ପଞ୍ଝା ୩ ତାରିଖକୁ ଅପେକ୍ଷା କରିଛି ।

ଅନ୍ୟପଟେ କେବଳ ଜଣେ ଦୋଷୀ ପବନର ପକ୍ଷରୁ ଏହି ମାମଲରେ ରାଜକ୍ଷମା ଆବେଦନ ଏବଂ କ୍ୟୁରେଟିଭ ପିଟିସନ ଦାଖଲ କରିବାର ବାକି ରହିଛି । ତେବେ ଓକିଲଙ୍କ କହିବା ଅନୁସାରେ, ହାଇକୋର୍ଟ ତରଫରୁ ଦିଆଯାଇଥିବା ଏକ ସପ୍ତାହ ମିଆଦୀ ମଧ୍ୟ ୧୧ ଫେବ୍ରୁଆରୀରୁ ଶେଷ ହୋଇସାରିଛି । ଆଉ ସେ ଦାବି କରିଥିଲେ କି ବର୍ତ୍ତମାନ କୌଣସି ବି ଦୋଷୀର କୌଣସି ବି ଆବେଦନ କୌଣସି ବି କୋର୍ଟରେ ନାହିଁ । ତେଣୁ ସମସ୍ତ ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରେଂଟ ଜାରି କରାଯାଇପାରେ ବୋଲି ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଦୁଇ ଦୁଇ ଥର ମୃତ୍ୟୁର ପରୱାନା ଜାରି ହୋଇଥିଲା । ପ୍ରଥମେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଏକ ସଙ୍ଗେ ୪ ଦୋଷୀଙ୍କ ପାଇଁ ଡେଥ ୱାରେଂଟ ଜାରି କରିଥିଲା । ହେଲେ ସେ ସମୟରେ ନିର୍ଭୟା ଅଭିଯୁକ୍ତ ମୁକେଶ ରାଜକ୍ଷମା ଆବେଦନ କରିଥିଲା ଆଉ ଯାହାକୁ ଖାରଜ କରିଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କିନ୍ତୁ ନିୟମ ଅନୁସାରେ ୨୨ତାରିଖରେ ଦିଆଯାଇଥିବା ମୃତ୍ୟୁର ପରୱାନାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ ଜେଲ କର୍ତ୍ତୃପକ୍ଷ । ସେହିଭଲି ପରବର୍ତ୍ତୀ ସମୟରେ କୋର୍ଟ ପକ୍ଷରୁ ଫେବ୍ରୁଆରୀ ୧ ତାରିଖରେ ଫାଶୀ ଦେବା ପାଇଁ ସ୍ଥିର କରାଯାଇଥିଲା ସତ କିନ୍ତୁ ପୁଣି ଥରେ ଚକ୍ରାନ୍ତ କରି ଶେଷ ମୁହୂର୍ତ୍ତରେ ମୃତ୍ୟୁରୁ ବର୍ତ୍ତୀ ଯାଇ ଥିଲେ ୪ ଅଭିଯୁକ୍ତ ।

ସେପଟେ ନୂଆ ଡେଥ୍ ୱାରେଣ୍ଟ ଜାରି ପରେ ନିର୍ଭୟା ମା’ କହିଛନ୍ତି ଆଶା ଏଥର ମୋ ଝିଅ ନ୍ୟାୟ ପାଇବ, ୪ ସୈତାନଙ୍କୁ ଫାଶୀ ମିଳିବ । ଏତେ ବର୍ଷ ରାକ୍ଷସଙ୍କ ଫାଶୀ ପାଇଁ ଆଇନ କାନୁନ ସହ ଲଢ଼େଇ କରିଛୁ । ମାର୍ଚ୍ଚ ୩ରେ ନ୍ୟାୟ ମିଳିବ । ହେଲେ ଦୋଷୀଙ୍କ ଓକିଲ ଏପି ସିଂଙ୍କ ଯୁକ୍ତି ଯେ, ଏବେ ବି ରୋକି ହେବ ଫାଶୀ, ଆମ ପାଖରେ ଆଇନଗତ ବିକଳ୍ପ ଅଛି । ଲଢ଼େଇ ଜାରି ରହିବ ।