କାଲି ସକାଳେ ସଜ୍ଜା ପାଇବେ ସୈତାନ । ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ, ନିର୍ଭୟାକୁ ନ୍ୟାୟ ମିଳିବ । ମଣିଷରୂପୀ ନରରାକ୍ଷସଙ୍କୁ ଅପେକ୍ଷା କରିଛି ଫାଶୀ ଖୁଣ୍ଟ । 

745

କନକ ବ୍ୟୁରୋ : ଅପେକ୍ଷାର ଅବସାନ ! ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ, ଆଉ ନୀରିହ ଝିଅ ନିର୍ଭୟାକୁ ନ୍ୟାୟ ମିଳିବ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ଅପେକ୍ଷା କରିଛି । ଦିଲ୍ଲୀର ପଟିଆଲା ହାଇସକୋର୍ଟ ମୃତ୍ୟୁର ପରୱାନା ଉପରେ ରୋକ ଲଗାଇବାକୁ ମନା କରିବା ପରେ ଏହି ୪ ରାକ୍ଷସଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ସାରା ଦେଶ ବି ଅପେକ୍ଷା କରିଛି କେତେବେଳେ ଏହି ସୈତାନମାନଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବ ।

ନିର୍ଭୟା ଦୋଷୀଙ୍କ ମୃତ୍ୟୁ ପରୱାନା ଉପରେ ରୋକ୍ ଲଗାଇବା ପାଇଁ ଆସିଥିବା ଆବେଦନ ଉପରେ ବିଚାର କରି ଆଜି ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଏହା ପରେ ଫାଶୀ ପାଇଁ ରାସ୍ତା ସଫା ହୋଇଯାଇଛି । ୨୦୧୨ ଡିସେମ୍ବରରେ ଘଟିଥିବା ଏକ ଜଘନ୍ୟ ଗଣବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶକୁ ବିଶ୍ୱ ଆଗରେ ଲଜ୍ଜିତ ହେବାକୁ ପଡିଥିଲା । ଆସନ୍ତାକାଲି ସକାଳେ ନିର୍ଭୟାଙ୍କୁ ନ୍ୟାୟ ମିଳିପାରେ ଓ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇପାରେ । ସାରା ଦେଶ ସେହି ମୁହୂର୍ତ୍ତକୁ ଅପେକ୍ଷା କରିଛି ।

ଆଜି ପଟିଆଲା ହାଉସକୋର୍ଟରେ ଶୁଣାଣି ସମୟରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ ଡ୍ରାମା । କୋର୍ଟରୁମରେ ଦୋଷୀ ଅକ୍ଷୟ କୁମାରଙ୍କ ପତ୍ନୀ ଜଜଙ୍କ ଆଗରେ କାନ୍ଦିବା ଆରମ୍ଭ କରିଦେଇଥିଲେ । ନିର୍ଭୟାଙ୍କ ମା ଆଶାଦେବୀଙ୍କ ପାଦ ଛୁଇଁ କହିଥିଲେ, ସେ ତାଙ୍କ ମା ପରି । ଫାଶୀକୁ ରୋକି ଦିଅନ୍ତୁ । ଫାଶୀ ସମୟ ଧାର୍ଯ୍ୟ ହେବା ପରେ କୋର୍ଟ ବାହାରେ ମଧ୍ୟ କାନ୍ଦି କାନ୍ଦି ବେହୋସ ହୋଇଯାଇଥିଲେ ଅକ୍ଷୟଙ୍କ ପତ୍ନୀ । କିନ୍ତୁ କାହାକୁ ଏହା ଛୁଇଁ ପାରିନଥିଲା ।

ସେପଟେ ଆଜି ସୁପ୍ରିମକୋର୍ଟରେ ଅକ୍ଷୟଙ୍କ ଆବେଦନ ଖାରଜ ହୋଇଯାଇଛି । ରାଜକ୍ଷମା ଆବେଦନ ଖାରଜ ହେବାକୁ ଚ୍ୟାଲେଞ୍ଜ କରି ଅକ୍ଷୟ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେଣୁ ଏବେ ୪ ଦୋଷୀଙ୍କ ପାଖରେ ବଂଚିବାର ଆଉ କିଛି ଆଇନଗତ ବାଟ ନାହିଁ ବୋଲି ଚର୍ଚ୍ଚା ହେଉଛି ।