ପୁଣି ଘୁଞ୍ଚିଲା ସୈତାନଙ୍କ ଫାଶୀ ତାରିଖ । ନିର୍ଭୟା ଦୁଷ୍କର୍ମକାରୀଙ୍କୁ କାଲି ଦିଆଯିବନି ଫାଶୀ ।

1,422

କନକ ବ୍ୟୁରୋ:  ପୁଣି ଘୁଞ୍ଚିଲା ସୈତାନଙ୍କ ଫାଶୀ ତାରିଖ । ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲିବେନି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ନରପିଶାଚ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଡେଥ୍ ୱାରେଣ୍ଟରେ ରୋକ୍ ଲଗାଇଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।

ଆସନ୍ତାକାଲି ଫାଶୀ ଖୁଂଟରେ ଝୁଲିବେ ନା ଝୁଲିବେନି ନିର୍ଭୟା ଦୋଷୀ । ଏନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । ତେବେ ଫାଶୀ ଖୁଂଟରେ ୪ ସଇତାନ ଝୁଲିବେ ତ ନିଶ୍ଚିତ ହେଲେ ଏବେ ନୁହେଁ । ଅର୍ଥାତ୍ ଫାଶୀ ନେଇ ପୂର୍ବ ନିର୍ଧାରିତ ରାୟ ପୁଣି ଥରେ ଘୁଂଚଛି ।

ସମସ୍ତଙ୍କୁ ଏକାସଙ୍ଗେ ହେବ ଫାଶୀ

ନିର୍ଭୟା ପକ୍ଷରୁ ଲଢୁଥିବା ଓକିଲ ଯୁକ୍ତି ବାଢିଛନ୍ତି, ସମାନ ମାମଲାରେ ୪ ଜଣ ଦୋଷୀ ହୋଇଛନ୍ତି । ତେଣୁ ସେମାନଙ୍କୁ ଅଲଗା ଅଲଗା ଭାବେ ଫାଶୀ ଦିଆଯିବା ଉଚିତ ନୁହେଁ । ନିୟମ ଅନୁଯାୟୀ ଗୋଟିଏ ମାମଲାର ଦୋଷୀଙ୍କୁ ଏକାଥରକେ ଦଣ୍ଡ ଦିଆଯିବ ।

ତିହାର ଜେଲକୁ ମଗାଗଲା ରିପୋର୍ଟ

ଦୋଷୀ ବିନୟକୁ ନେଇ ଜେଲ ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀ ବିନୟ ଗତ ବୁଧବାର ରାଜକ୍ଷମା ଆବେଦନ କରିଥିଲା । କୋର୍ଟରେ ଶୁଣାଣୀ ସମୟରେ ତିହାର ଜେଲ ତରଫରୁ କୁହାଯାଇଥିଲା କି ବିନୟ ରାଜକ୍ଷମା ପାଇଁ ଆବେଦନ କରିଛି । ଯାହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଦିଆଯାଇଛି । ତେଣୁ କୋର୍ଟ ପକ୍ଷରୁ ବିନୟର ରାଜକ୍ଷମା ଆବେଦନ ଉପରେ ତିହାର ଜେଲ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ମଗାଯାଇଛି ।

ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବା ପାଇଁ ପଟିଆଲା ହାଉସ କୋର୍ଟ ଦୁଇ ଦୁଇ ଥର ଡେଥ ୱାରେଂଟ ଜାରି କରିସାରିଛି । ତେବେ ପ୍ରଥମ ଡେଥ ୱାରେଂଟ ଜାନୁୟାରୀ ୨୨ ତାରିଖ ସକାଳ ୭ଟାରେ ଧାର୍ଯ୍ୟ କରାଯାଇଥିବା ବେଳେ ଦୋଷୀଙ୍କ ଚକ୍ରାନ୍ତକ୍ରମେ ଏହାକୁ ଘଂଚାଇ ଆସନ୍ତାକାଲି ତଥା ଫେବୃୟାରୀ ୧ତାରିଖ ଭୋର ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ନିଷ୍ପତି ନିଆଯାଇଛି । ଆଉ କୋର୍ଟର ଏହି ନିଷ୍ପତିକୁ ପୁଣି ଥରେ ଟାଳିବାକୁ ନିର୍ଭୟା ସୈତାନମାନେ ପ୍ରୟାସ ଜାରି ରଖିଛନ୍ତି ।

ଅନ୍ୟପଟେ ଫାଶୀରୁ ବଂଚିବା ପାଇଁ ନିର୍ଭୟାକାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଖଲ କରଥିଲା । ତେବେ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ । ତେବେ ଅକ୍ଷୟ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନର ବାଟ ଖୋଲାରହିଛି । ବର୍ତମାନ ବିନୟ , ମୁକେଶ,ଅକ୍ଷୟର କ୍ୟୁରେଟିଭି ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇସାରିଛି । କେବଳ ପବନ ପାଇଁ ଏହି ନ୍ୟାୟିକ ବାଟ ଖୋଲା ଅଛି ।