ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ୪ ଅଭିଯୁକ୍ତଙ୍କ ଡେଥ ୱାରେଣ୍ଟ ଉପରେ ଆସିବ ବଡ ରାୟ, ପଟିଆଲା ହାଉସ କୋର୍ଟରେ ଶୁଣାଣି ଜାରି ।

233

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଡେଥ୍ ୱାରେଣ୍ଟ ଉପରେ ଆଜି ଆସିପାରେ ବଡ ରାୟ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏନେଇ ଶୁଣାଣି ଆରମ୍ଭ ହୋଇଛି । ୪ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଛି । ସରକାରୀ ଓକିଲଙ୍କ କହିବା ଅନୁଯାୟୀ, ପୂର୍ବରୁ ୪ ଦୋଷୀଙ୍କୁ ରିଭ୍ୟୁ ପିଟିସନ ଖାରଜ କରାଯାଇଛି । ଏହାଛଡା ଡେଥ୍ ୱାରେଣ୍ଟ ଓ ଫାଶୀ ତାରିଖ ମଧ୍ୟରେ କିଛି ଦିନ ସମୟ ରହିଥାଏ । ଯେଉଁ ସମୟସୀମା ମଧ୍ୟରେ ରାଜକ୍ଷମା ପାଇଁ ଆବେଦନ କରିପାରିବେ ଅଭିଯୁକ୍ତ । ଯଦି ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଗ୍ରହଣ କରନ୍ତି ତେବେ ଫାଶୀକୁ ଅଟକାଇ ଯାଇପାରିବ ।

ନିର୍ଭୟା ମା’ଙ୍କ କହିବା ଅନୁଯାୟୀ, ୪ ଅଭିଯୁକ୍ତଙ୍କ ବିରୋଧରେ ଆଜି ହିଁ ଡେଥ୍ ୱାରେଣ୍ଟ ଜାରି କରାଯାଉ । ଏହାପୂର୍ବରୁ ଗତ ଡିସେମ୍ବର ମାସରେ ପଟିଆଲା ହାଉସ କୋର୍ଟରେ ଡେଥ ୱାରେଣ୍ଟ ଶୁଣାଣି କରାଯାଇଥିଲେ ମଧ୍ୟ ରାୟ ପ୍ରକାଶ ପାଇନଥିଲା । ତେବେ ଏହାପୂର୍ବରୁ ସୁପ୍ରିମକୋର୍ଟ ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୨ରେ ଦିଲ୍ଲୀରେ ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ ୬ ଜଣ ନରରାକ୍ଷସ । ଜଣେ ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ନାବାଳକ ଥିବାରୁ ସୁଧାର ଗୃହରେ ସଜା କାଟିବା ପରେ ଛାଡି ଦିଆଯାଇଥିଲା । ଅନ୍ୟ ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।