ଆଜି ଘୋଷଣା ହୋଇପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ! କେବେ ଫାଶୀ ପାଇବେ ୪ ଦୋଷୀ, ତାହାକୁ ନେଇ ଦେଶରେ ଚାଲିଛି ଚର୍ଚ୍ଚା

Advertisment
ଆଜି ଘୋଷଣା ହୋଇପାରେ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ! କେବେ ଫାଶୀ ପାଇବେ ୪ ଦୋଷୀ, ତାହାକୁ ନେଇ ଦେଶରେ ଚାଲିଛି ଚର୍ଚ୍ଚା

କନକ ବ୍ୟୁରୋ : ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଫାଶୀ କେବେ ହେବ ସେନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୪ଜଣ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ଏବେ ଅପେକ୍ଷା ରହିଛି ତ କେବଳ ଫାଶୀ ହେବାର ତାରିଖ, ଯାହାକି ଆଜି ଅର୍ଥାତ ଜାନୁଆରି ୭ ତାରିଖରେ ସ୍ଥିର ହୋଇପାରେ ବୋଲି କୁହାଯାଉଛି। ଏହାପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ହୋଇଥିବା ୪ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ପବନ କୁମାରର ପିତା ଏହି ଫାଶୀ ଦଣ୍ଡାଦେଶକୁ ଅଟକାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଗତ ସୋମବାର ତାହାକୁ ବି କୋର୍ଟ ଖାରଜ କରି ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ୧୬ ତାରିଖରେ ପାରାମେଡ଼ିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣ-ଦୁଷ୍କର୍ମ କରାଯିବା ସହ ଅମାନୁଷିକ ନିର୍ୟାତନା ଦିଆଯାଇଥିଲା । ୬ ଜଣ ବ୍ୟକ୍ତି ଏହି କାଣ୍ଡ ଘଟାଇବା ପରେ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ ଚଳନ୍ତା ବସରୁ ଫିଙ୍ଗି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ନିର୍ଭୟା, ସେହିବର୍ଷ ଡିସେମ୍ବର ୨୯ରେ ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସପିଟାଲରେ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା । ଆଉ ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାକୁ ଏକ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ୨୦୧୩, ସେପ୍ଟେଟର ୧୩ରେ ଦିଲ୍ଲୀର ଏକ ଫାଷ୍ଟଟ୍ରାକ୍ କୋର୍ଟ ଏହି ୪ ଅଭିଯୁକ୍ତ ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଦୋଷୀ ଘୋଷଣା କରିବା ସହ ମୃତ୍ୟୁଦଣ୍ଡ ଦେଇଥିଲେ। ୫ମେ, ୨୦୧୭ରେ ସୁପ୍ରିମକୋର୍ଟ ଏହି ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ସେହିବର୍ଷ ନଭେମ୍ବର ୧୩ରେ ଦୋଷୀମାନେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ସୁପ୍ରିମକୋର୍ଟ ଦୋଷୀମାନଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe