ସାତ ବର୍ଷ ପରେ ଆସିଲା ନ୍ୟାୟର ସକାଳ । ସୈତାନଙ୍କୁ ମିଳିଲା ସଜା, ଜାଣନ୍ତୁ ଫାଶୀର କିଛି ସମୟ ପୂର୍ବରୁ ତିହାର ଜେଲରେ ହୋଇଥିଲା କଣ?

9,060

କନକ ବ୍ୟୁରୋ : ୭ ବର୍ଷ ପରେ ଆସିଲା ନ୍ୟାୟର ସକାଳ । ଆଜି ଭୋର ୫ଟା ୩୦ରେ ଚାରି ନିର୍ଭୟା ଦୋଷୀଙ୍କୁ ଫାଶି ଖୁଣ୍ଟରେ ଝୁଲାଇ ଦିଆଗଲା । ଫାଶୀ ଖୁଣ୍ଟକୁ ଯିବା ପୂର୍ବରୁ ରାତି ତମାମ ଅନିଦ୍ରା ରହି ଫାଶୀ ରୋକକୁ ଅପେକ୍ଷା କରିଥିଲେ ଚାରି ନରପିଶାଚ । ସେପଟେ ଫାଶୀ ଉପରେ ରୋକ ଲଗାଇବାକୁ ଏ କୋର୍ଟରୁ ସେ କୋର୍ଟକୁ ଦୌଡିଥିଲେ ଦୋଷୀଙ୍କ ଓକିଲ । ସବୁ ଆବେଦନ ଖାରଜ ପରେ ନିର୍ଧାରିତ ସମୟରେ ଫାଶୀ ଦିଆଯାଇଥିଲା । ସେପଟେ ଜେଲ ବାହାରେ ଏକତ୍ରିତ ଲୋକଙ୍କ ଭାରତ ମାତା କି ଜୟ ନାରାରେ କମ୍ପିଥିଲା ତିହାର ଅଞ୍ଚଳ ।

ଯେଉଁ ମୂହୁର୍ତ ସାରା ଦେଶ ଅପେକ୍ଷା କରିରହିଥିଲା ଶୁକ୍ରବାର ସକାଳେ ଆସିଥିଲା ସେହି ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ । ଯେତେବେଳେ ତିହାର ଜେଲ ଭିତରେ ଫାଶୀଖୁଂଟରେ ଝୁଲାଇ ଦିଆଯାଇଥିଲା ୪ ଦୋଷୀଙ୍କୁ । ସାଢେ ୭ ବର୍ଷର ଅପେକ୍ଷା ପରେ ଫାଶୀଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାର ୪ ଦୋଷୀ । ଫାଶୀ ଖୁଣ୍ଟରେ ଝୁଲିଥିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଆରମ୍ଭ ହୋଇଯାଇଥିଲା ପ୍ରକ୍ରିୟା । ତିହାର ୩ ନମ୍ବର ଜେଲରେ ଥିବା ଫାଶୀ କୋଠୀରେ ୪ ଦୋଷୀଙ୍କୁ ଅଲଗା ଅଲଗା ରଖାଯାଇଥିଲା । ପ୍ରଥମେ ଜେଲ ଅଧିକାରୀ ଦୋଷୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ଗାଧୋଇବା ଓ ପ୍ରାର୍ଥନା କରିବା ପାଇଁ କହିଥିଲେ । ହେଲେ ଏହା କରିବାକୁ ଦୋଷୀମାନେ ମନା କରିଦେଇଥିଲେ । ପରେ ଜେଲ ପ୍ରଶାସନ ପକ୍ଷରୁ ୪ଜଣଙ୍କ ପାଇଁ ଚା ମଗାଯାଇଥିଲା । ହେଲେ କେହି ଚା ପିଇନଥିଲେ ।

ଶୁକ୍ରବାର ଭୋର ୫ଟା । ଜେଲ ଅଧିକାରୀ ଫାଶୀ କୋଠରୀ ଅନୁଧ୍ୟାନ କଲା ପରେ ଦୋଷୀମାନଙ୍କୁ ପୋଷାକ ପରିବର୍ତନ କରିବାକୁ କୁହାଯାଇଥିଲା । ହେଲେ ବିନୟ ମନା କରିବା ସହିତ ଚିତ୍କାର କରି କାନ୍ଦିଥିଲା ଓ କ୍ଷମା ମାଗିବାକୁ ଲାଗିଲା ବୋଲି ଜେଲ ସୁତ୍ରରୁ ଜଣାପଡିଛି । ଅନ୍ୟ ଦୋଷୀମାନେ ମଧ୍ୟ ଏହି ସମୟରେ ଖୁବ ଜୋରରେ କାନ୍ଦିବା ଆରମ୍ଭ କରିଦେଇଥିଲେ । ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରାଯିବା ପରେ ଶେଷ ଇଚ୍ଛା ପଚରା ଯାଇଥିଲେ ମଧ୍ୟ କେହି କିଛି କହିନଥିଲେ । ଶେଷରେ ନିର୍ଦ୍ଧାରିତ ସମୟ ୫ଟା ୩୦ମିନିଟରେ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଥିଲା ୪ ଦୋଷୀଙ୍କୁ ।

ଫାଶୀ ପୂର୍ବରୁ ଗତକାଲି ରାତି ତମାମ କୋର୍ଟରେ ଚାଲିଥିଲା ଜରୁରୀ ଶୁଣାଣି । ଦୋଷୀଙ୍କୁ ବଂଚାଇବା ପାଇଁ ଶେଷ ପ୍ରୟାସ କରିଥିଲେ ଦୋଷୀଙ୍କ ଓକିଲ ଏପି ସିଂହ । ମୃତ୍ୟୁ ପରୱାନା ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ ହୋଇଥିବା ମାମଲାକୁ ଖାରଜ କରିଦେଇଥିଲେ ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଚାରପତି । ପ୍ରାୟ ୯୦ ମିନିଟର ଶୁଣାଣି ପରେ ଫାଶୀ ରୋକିବାକୁ ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ତେବେ ଏହା ପରେ ଦୋଷୀଙ୍କ ଓକିଲ ସୁପ୍ରିମକୋର୍ଟରେ ପୁଣି ଫାଶୀ ରୋକିବାକୁ ଆବେଦନ କରିଥିଲେ । ରାତି ପ୍ରାୟ ୩ଟା ୩୦ ବେଳେ ଫାଶୀକୁ ଆଉ ମାତ୍ର ୨ଘଣ୍ଟା ବାକି ଥିବା ବେଳେ ଜଷ୍ଟିସ୍ ଭାନୁମତିଙ୍କ ଖଣ୍ଡପୀଠ ଶୁଣାଣି କରି ଦୋଷୀଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କରିଥିଲେ । ଆଉ ଏହାସହ ଆରମ୍ଭ ହୋଇଯାଇଥିଲା କାଉଂଟଡାଉନ । ଜେଲେ ବାହାରେ ଲୋକେ ନମ୍ବର ଗଣିବା ଆରମ୍ଭ କରିଦେଇଥିଲେ । ଆଉ ଠିକ ସାଢ଼େ ୫ଟାରେ ୪ ଦୋଷୀଙ୍କୁ ମିଳିଥିଲା ଫାଶୀ ।

ଏସବୁ ପ୍ରକ୍ରିୟା ଚାଲିଥିବା ବେଳେ ରାତି ତମାମ ତିହାର ଜେଲ ସମ୍ମୁଖରେ ଜମିଥିଲା ଶହ ଶହ ଲୋକଙ୍କର ଭିଡ । ହାତରେ ତ୍ରିରଙ୍ଗା ଧରି ନିର୍ଭୟା ଲଂଗ ଲିଭ୍ ଓ ଭାରତ ମାତା କି ଜୟ ନାରାରେ କମ୍ପିଥିଲା ପୁରା ପରିବେଶ । ମିଠା ଖୁଆଇ ଖୁସି ମନାଇଥିଲେ ଲୋକେ । ଫାଶୀ ତାରିଖ ଘୁଂଚିବା ନେଇ ଲୋକଙ୍କ ଭିତରେ ଥିବା ଦୀର୍ଘଦିନର ଅସନ୍ତୋଷରେ ପଡିଥିଲା ପୂର୍ଣ୍ଣଚ୍ଛେଦ ।