ଦୋଷୀ ମାଗୁଛି ନ୍ୟାୟ…ନିର୍ଭୟା ସୈତାନ ପବନର ଆବେଦନର ଆଜି ଶୁଣାଣି…ସୁପ୍ରିମକୋର୍ଟ ନିର୍ଣ୍ଣୟ କରିବେ ଅପରାଧ ସମୟରେ ନାବାଳକ ନା ସାବାଳକ ଥିଲା ଅଭିଯୁକ୍ତ

ନ୍ୟାୟ ପାଇଁ ସୁପ୍ରିମକୋର୍ଟରେ ଗୁହାରି କରିଛି ଦୋଷୀ ପବନ ଗୁପ୍ତା

981

କନକ ବ୍ୟୁରୋ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ପବନ ଗୁପ୍ତାର ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅପରାଧ ସମୟରେ ଦୋଷୀ ପବନ ନାବାଳକ ଥିଲା ନାହିଁ, ସେ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ଆର ଭାନୁମତିଙ୍କ ଅଧ୍ୟକ୍ଷତାରେ ତିନି ସଦସ୍ୟବିଶିଷ୍ଟ ଖଣ୍ଡପୀଠ ଦୋଷୀର ଆବେଦନ ଉପରେ ଶୁଣାଣି କରିବେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛି ଦୋଷୀ ପବନ ଗୁପ୍ତା । ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ ପିଟିସନ ଦାଖଲ କରି ପବନ କହିଛି ଅପରାଧ ଘଟାଇବା ସମୟରେ ସେ ନାବଳକ ଥିଲା ।

ପୂର୍ବରୁ ହାଇକୋର୍ଟ ଗଣଦୁଷ୍କର୍ମ ସମୟରେ ସେ ନାବାଳକ ଥିବା ନେଇ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ । ତେବେ ସେ ଆବେଦନରେ ଦର୍ଶାଇଛି, ଦିଲ୍ଲୀ ହାଇକୋର୍ଟ ତାର ଦଲିଲ ଓ ପ୍ରମାଣକୁ ଅଣଦେଖା କରି ନିଷ୍ପତି ଶୁଣାଇଛନ୍ତି । ତେଣୁ ତାକୁ ନ୍ୟାୟ ଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛି ପବନ । ଟ୍ରାଏଲ କୋର୍ଟ ପବନ ସହିତ ୪ ଦୋଷୀଙ୍କୁ ନିର୍ଭୟା ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ମାମଲାରେ ଡେଥ ୱାରେଂଟ ଜାରି କରିସାରିଛି । ଦୁଇ ଦୁଇ ଥର ଫାଶୀ ତାରିଖ ଧାର୍ଯ୍ୟ ହୋଇଛି । ପୂର୍ବରୁ ଜାନୁୟାରୀ ୨୨ ଫାଶୀ ତାରିଖ ଘୋଷଣା ହୋଇଥିଲା । ହେଲେ ଅନ୍ୟ ଦୋଷୀ ମୁକେଶ ସିଂ ରାଜକ୍ଷମା ଆବେଦନ କରିବା ପରେ ୨୨ ତାରିଖରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରିବା ସମ୍ଭବ ହୋଇନଥିଲା ।

ତେବେ ରାଷ୍ଟ୍ରପତି ଶୁକ୍ରବାର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ପଟିଆଲା ହାଉସ କୋର୍ଟ ଫେବୃୟାରୀ ୧ ତାରିଖରେ ୪ ସୈତାନଙ୍କୁ ଫାଶୀ ଖୁଂଟରେ ଝୁଲାଇବାକୁ ଡେଥ ୱାରେଂଟ ଜାରି କରିଛନ୍ତି । ସୈତାନ ମୁକେଶ ସିଂ ପାଖରେ ଫାଶୀରୁ ବଂଚିବା ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇସାରିଛି । ହେଲେ ଦୁଇ ଦୋଷୀ ପବନ ଓ ଅକ୍ଷୟ ପାଖରେ କ୍ୟୁରେଟିଭ ପିଟିସନ ଦାଖଲ କରିବାର ବିକଳ୍ପ ରହିଛି । ସେହିପରି ଅକ୍ଷୟ, ବିନୟ ଓ ପବନ ପାଖରେ ରାଜକ୍ଷମା ଆବେଦନ କରିବା ଭଳି ସମ୍ବିଧାନିକ ବିକଳ୍ପ ମଧ୍ୟ ରହିଛି ।