ନିର୍ଭୟା ଗଣଦୁଷ୍କର୍ମକାରୀ ବିନୟ ଶର୍ମାକୁ ଝଟକା : ରାଷ୍ଟ୍ରପତିଙ୍କ ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ବିନୟ , ମେଡିକାଲ୍ ରିପୋର୍ଟରେ ବିନୟ ସୁସ୍ଥ ଥିବା କହିଲେ ସୁପ୍ରିମକୋର୍ଟ

898

ବହୁଚର୍ଚ୍ଚିତ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜକ୍ଷମାକୁ ଚ୍ୟାଲେଞ୍ଜ କରି ଦୋଷୀ ବିନୟ ସୁପ୍ରିମକୋର୍ଟରେ ଅପିଲ କରିଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ବିନୟର ମାନସିକ ଅବସ୍ଥା ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛି । ମେଡିକାଲ ରିପୋର୍ଟରେ ବିନୟ ସୁସ୍ଥ ଥିବା ପ୍ରକାଶ କରାଯାଇଛି । ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟର ରାଜକ୍ଷମା ଆବେଦନକୁ ଖାରଜ କରିଥିଲେ । ଏଥିରେ ବିନୟ ସର୍ବକ୍ଷମା ଆବେଦନ ପ୍ରକ୍ରିୟା ଉପରେ ପ୍ରଶ୍ନ କରିଥିବା ବେଳେ ନିଜର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇ ଗୁରୁବାର ଦଣ୍ଡକ୍ଷମା ଲାଗି କୋର୍ଟଙ୍କ ଶରଣାପନ୍ନ ହୋଇଥିଲା । ତେବେ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟ ହେବା ନେଇ ବିନୟ କରିଥିବା ନିବେଦନର ଶୁଣାଣି କରି କୋର୍ଟ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ବିନୟଙ୍କ ପକ୍ଷରୁ ଓକିଲ ଦଣ୍ଡ ଟାଳିବା ନିମନ୍ତେ ବିନୟର ମାନସିକ ସ୍ଥିତି ସମ୍ପର୍କରେ କୋର୍ଟଙ୍କୁ ସୂଚୀତ କରିଥିଲେ। ଏଥିରେ ଓକିଲ ଏ.ପି.ସିଂହ ଜେଲରେ ଦୋଷୀଙ୍କୁ ଦିଆଯାଇଥିବା ଶାରୀରିକ ଓ ମାନସିକ ନିର୍ଯାତନା ଯୋଗୁଁ ଅତୀତରେ ବିନୟ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏବଂ ଔଷଧ ଖାଇଥିବା କୋର୍ଟଙ୍କୁ ଜଣାଇଥିଲେ। ଏଣୁ ଆଇନର ଧାରା ୨୧ ଅନୁସାରେ ଏହା ଦୋଷୀର ବଞ୍ଚିବାର ଅଧିକାରର ଉଲ୍ଲଂଘନ ବୋଲି କହିଥିଲେ।

ଦୋଷୀଙ୍କ ଦୟା ନିବେଦନ ଅଗ୍ରାହ୍ୟକୁ ନେଇ ଓକିଲ ଏ.ପି.ସିଂହ ମୂଳ ଫାଇଲ ଦେଖିବା ଲାଗି କୋର୍ଟଙ୍କୁ ନିବେଦନ କରିଥିଲେ। ଏଥିରେ ଗୃହମନ୍ତ୍ରୀ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦସ୍ତଖତ ହୋଇଛି କି ନା ତାହା ନିଜେ ସ୍ପଷ୍ଟ କରିବାକୁ ଚାହିଁଥିଲେ। ଏଥିଲାଗି ସେ ଆରଟିଆଇରେ ମଧ୍ୟ ନିବେଦନ କରିଥିବାର କୋର୍ଟଙ୍କୁ ଜଣାଇଥିଲେ। ଡିଫେନ୍ସ କାଉନସେଲଙ୍କ ତର୍କରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ସମସ୍ତ କାଗଜ ପ୍ରଦାନ କରିବା ସହ ସେଥିରେ ଦସ୍ତଖତ ଥିବା କହିଥିଲେ। ତେବେ ବିନୟଙ୍କ ଓକିଲ ଏହା ଅସଲି କାଗଜପତ୍ର ନୁହେଁ ବୋଲି ଖଣ୍ଡପୀଠଙ୍କୁ କହିଥିଲେ। ଏଥିରେ ଜଷ୍ଟିସ୍ ଭାନୁମତି କହିଥିଲେ ଯେ ଏହା ଆପଣଙ୍କ ଲାଭ ଲାଗି ନୁହେଁ ବରଂ ଅଦାଲତଙ୍କ ସନ୍ତୁଷ୍ଟି ଲାଗି ବୋଲି କହିଥିଲେ। ହେଲେ କାହାକୁ ଫାଶୀରେ ଝୁଲାଯିବା କୌଣସି ବ୍ୟକ୍ତିଗତ ବ୍ୟାପାର ନୁହେଁ ଏହା ଉପରାଜ୍ୟପାଳଙ୍କ ସାମ୍ବିଧାନିକ ଦାୟିତ୍ୱବୋଲି କୋର୍ଟଙ୍କୁ ସୂଚିତ କରିଥିଲେ। ବିନୟ ଶର୍ମାଙ୍କ ଓକିଲ ଏ.ପି.ସିଂହ କୋର୍ଟଙ୍କୁ କହିଥିଲେଯେ ଦେଶରେ ପ୍ରଥମଥର ଏପରି ୪ ଜଣ ଦଣ୍ଡିତ ହେବାକୁ ଯାଉଛନ୍ତି ଯେଉଁମାନେ ଅଭ୍ୟାସଗତ ଅପରାଧୀ ନୁହଁନ୍ତି। ସେହିପରି ରାଷ୍ଟ୍ରପତିଙ୍କ ନିକଟରେ ଏବେବି ଅନେକ କ୍ଷମାନିବେଦନ ଲମ୍ବିତ ପଡିଛି। ଏଥିରେ କେବଳ ଏହି ଗୋଟିଏ ମାମଲାର ଦୋଷୀଙ୍କ ଲାଗି ପିକ୍ ଏଣ୍ଡ ଚୁଜ ନୀତି ଅବଲମ୍ବନ କରାଯାଉଥିବାରୁ ସନ୍ଦେହ ପ୍ରକାଶ କରିଥିଲେ। ତେବେ ଜେଲରେ ସବୁ ବନ୍ଦୀଙ୍କ ରୁଟିନ ମାନସିକ ଯାଞ୍ଚ ହେଉଥିବା ସୋଲିସିଟର ଜେନେରାଲ କୋର୍ଟଙ୍କୁ କହିଥିଲେ।