କନକ ବ୍ୟୁରୋ: ହୁଏତ ସେ, ଭଉଣୀଟି ଯଦି ଆଜି ଥାନ୍ତା ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାନ୍ତା... ହୁଏତ ସେ ଭଉଣୀ ଥିଲେ ତା ଭାଇଠୁ ଖାଲି ନିଜ ସୁରକ୍ଷାର କଥା ନୁହେଁ ବରଂ ଅନ୍ୟ ଭଉଣୀମାନଙ୍କର ସୁରକ୍ଷା ପାଇଁ ବି ପ୍ରତିଶ୍ରୁତି ମାଗିଥାନ୍ତା । କିନ୍ତୁ ହାଏ ! ଏଡେବଡ ରାକ୍ଷୀ ପୂର୍ଣ୍ଣିମାଟାରେ ସେ ତା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ରହିଲାନି । ୧୦ ଦିନ ତଳୁ ହିଁ କିଛି ନର ମାଂସ ଖିଆ ରାକ୍ଷସଙ୍କ କବଳରେ ପଡି ସେ ତା ଜୀବନ ହରେଇଲା । ଆଉ ବଡ ଆଶ୍ଚର୍ଯ୍ୟର କଥା କଣ ଜାଣନ୍ତି – ଯେଉଁମାନେ ସେଦିନ ମହିଳା ଡାକ୍ତର ପୀଡିତାର ଛାତି ବିଦାରି ରକ୍ତ ପିଇଯାଇଥିଲେ ଆଜି ସେମାନେ ରାକ୍ଷୀ ବାନ୍ଧିଥିବେ । ଫେରାର ହୋଇଥିବା ସୈତାନମାନେ କାହା ହାତର ରାକ୍ଷୀ ଦେଖି ନିଜ ଘରେ ଥିବା ଭଉଣୀର କଥା ନିହାତି ମନେ ପକାଉଥିବେ... ଆଉ ରାକ୍ଷୀ ବାନ୍ଧିନପାରିବାର ଅବସୋସରେ ମନ ଦୁଃଖ କରୁଥିବେ ।

କିନ୍ତୁ ସେହି ସୈତାନ ମାନେ ଯେବେ ସେଦିନ ସେମିନାର ହଲରେ ରାତିର ଅନ୍ଧାର ଭିତରେ ଯୁବତୀକୁ ଝୁଣି ଖାଉଥିଲେ ସେବେ କିନ୍ତୁ ମନେପକେଇ ପାରୁନଥିଲେ ତଳେ ପଡି ତାଙ୍କ ଯୌନ ପିପାସୁର ଶିକାର ହେଉଥିବା ନାରୀଟି ଯେ ଆଉ କାହାର ଭଉଣୀ ହୋଇଥିବ- ରକ୍ତଭିଜା ଚଟାଣରେ ପଡି ସେମାନଙ୍କୁ ଜୀବନର ଭିକ ମାଗୁଥିବା ସେ ଅସହାୟ ଆହତ ଯୁବତୀଟି ୧୦ ଦିନ ପରେ ଆଉ କାହା ହାତରେ ରାକ୍ଷୀ ବାନ୍ଧିବ... କିନ୍ତୁ ନା, କାମନାରେ ଅନ୍ଧଥିବା ଜହ୍ଲାଦଙ୍କୁ ସେସବୁ ସେଦିନ ଦେଖାଯାଇନଥିଲା କି ଝିଅର କରୁଣ ଚିକ୍ରାର ଶୁଭିନଥିଲା ।

ଗଣ ଦୁଷ୍କର୍ମ ପରେ ନିର୍ମମ ହତ୍ୟା । କେଉଁ ପାଶବିକ କାଣ୍ଡ ଠାରୁ କମ୍ ନଥିଲା କୋଲକାତା ରାତିର ସେ ଘଟଣା । ବୋଧହୁଏ ସେ ଜାଗାରେ ପଶୁଟିଏ ଥିଲେ କ୍ଷମା କରିଦେଇଥାନ୍ତା କିନ୍ତୁ ଏମାନେ ତ ରାକ୍ଷସ, ଛାଡିବେ ବା କେମିତି ? ତା ଦେହସାରା ଗଭୀର କ୍ଷତ, ଆଖିରେ ଚଷମା କାଚର ଖଣ୍ଡ ଖଣ୍ଡରେ ବୋହିଯାଉଥିବା ରକତ, ଅତ୍ୟାଚାର ଅକୁହା ଯନ୍ତ୍ରଣା ବଖାଣୁଥିଲା । ମୁହଁ, ବେକ ଓ ଦେହ ସାରା ଶାଗୁଣା ଝାମ୍ପିଲା ପରି ସୈତାନଙ୍କ ନଖର ଆଂଚୁଡା ଦାଗ । ଓଠରେ କ୍ଷତଚିହ୍ନ, ବାଁ ଗୋଡ- ଡାହାଣ ହାତରେ ଗଭୀତ ଆଘାତ । ଜଙ୍ଘ ପାଖରୁ ଝରି ଆସୁଥିଲା ରକ୍ତ । ନର ରାକ୍ଷସଙ୍କ କବଳରୁ ବଞ୍ଚିବାକୁ ଭଉଣୀଟିଏ ସେଦିନ କେତେ କାକୁତି ମିନତି ହୋଇଥିବ କିନ୍ତୁ ... ଯେଉଁ ହାତରେ ରାକ୍ଷୀ ବାନ୍ଧି ଝିଅ ବୋହୂଙ୍କ ରକ୍ଷା କରିବାକୁ ନିଜ ଭଉଣୀକୁ କଥା ଦେଇଥିଲା ସେହି ହାତ ଆଜି ହସ୍ପିଟାଲ ଭିତରେ ବଳାକ୍ରାର କରିବାକୁ ପଛାଇଲାନି । ଆରଜେ କର କଳା କୋଠରୀରେ ଚପିଯାଇଥିବା ସେ ଚିକ୍ରାର କେହି ଶୁଣିପାରିଲେନି ସତ କିନ୍ତୁ ଏବେ ପୀଡିତାକୁ ନ୍ୟାୟ ପାଇଁ ମହମବତୀ ଜାଳୁଛି ସାରା ଦେଶ ।

୨୦୧୨ରେ ଦିଲ୍ଲୀର ନିର୍ଭୟା । ୨୦୨୪ରେ କୋଲକାତାର ମୌମିତା । ୨୦୧୨ରୁ ୨୦୨୪- ୧୨ ବର୍ଷ ବିତିଗଲାଣି । କିନ୍ତୁ କମୁନି ଦୁଷ୍କର୍ମକାରୀଙ୍କ ଦବଦବା । ବଦଳିନି ମଣିଷର ମାନସିକତା । ବଦଳିନି ବି ବ୍ୟବସ୍ଥା । ଆଜି ବି ସୈତାନମାନେ ସକ୍ରିୟ ଅଛନ୍ତି, ଆଜି ବି ଯୌନ ଜହ୍ଲାଦମାନେ ନାରୀ ଦେହର ମାଂସକୁ ଡାହାଳ କୁକୁର ପରି ଝୁଣି ଖାଇ ତା ଜୀବନ ନେଇଯାଉଛନ୍ତି । ଆମ ସମାଜରେ ନିଇତି ନାରୀଟିଏ କାହା କମେଣ୍ଟରେ ଝୁଣ୍ଟି ପଡୁଛି, କାହା ଲୋଲୁପର ଶିକାର ହେଉଛି । କିଛି ଘଟଣା ସାମ୍ନାକୁ ଆସୁଛି ତ କିଛି ଲୁଚିଯାଉଛି... ପ୍ରତିବାଦ, ଆନ୍ଦୋଳନ, ନ୍ୟାୟ ପାଇଁ ନାରାବାଜି ପ୍ରତି ବର୍ଷ ହେଉଛି କିନ୍ତୁ ସୈତାନମାନଙ୍କ ପାଇଁ ସେମିତି କିଛି କଠୋର ଦଣ୍ଡବିଧାନ ହେଉନି । ଘଟଣା ବାରମ୍ବାର ଘଟୁଛି, ଦେଶର କୋଣ ଅନୁକୋଣରେ ପୁନରାବୃତି ହେଉଛି- ଦୁଷ୍କର୍ମର ଶିକାର ହୋଇ ନାରୀଟିଏ ଚିଲେଇ ଚିଲେଇ କହୁଛି... କିଛି କର ସରକାର ! କିଛି ତ କର... ଆମେ ଆଉ କେତେ ଦିନ ଏମିତି ଦୁଷ୍କର୍ମର ଶିକାର ହେବୁ... କେତେଦିନ ଆଉ ଜୀବନ ଦେଉଥିବୁ...