ଲଣ୍ଡନ କୋର୍ଟରେ ଦ୍ୱିତୀୟ ଥର ପାଇଁ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ! ଜେଲରେ ରହିବ ପଳାତକ ବ୍ୟବସାୟୀ । 

Advertisment
ଲଣ୍ଡନ କୋର୍ଟରେ ଦ୍ୱିତୀୟ ଥର ପାଇଁ ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ ! ଜେଲରେ ରହିବ ପଳାତକ ବ୍ୟବସାୟୀ । 

image courtesy - www.livelaw.in

କନକ ବ୍ୟୁରୋ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ଗହଣା ବ୍ୟବସାୟୀ ନିରବ ମୋଦୀଙ୍କୁ ଜାମିନ ପ୍ରଦାନ କରିବାକୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟ ଦ୍ବିତୀୟ ଥର ପାଇଁ ମନା କରିଦେଇଛନ୍ତି । ଫଳରେ ଏବେ ସେ ଜେଲରେ ରହିବେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୬ରେ ହେବ । ନିରବଙ୍କୁ ଲଣ୍ଡନର ହୋଲବର୍ଣ୍ଣ ଟ୍ୟୁବ ମେଟ୍ରୋ ଷ୍ଟେସନରୁ ଗତ ୧୯ ତାରିଖରେ ଗିରଫ କରାଯାଇଥିଲା । ଗିରଫ ପରେ ଚଳିତମାସ ୨୦ରେ ନିରବଙ୍କୁ ପ୍ରଥମ ଥର ପାଇଁ ୱେଷ୍ଟମିନିଷ୍ଟରଙ୍କ କୋର୍ଟରେ ହାଜର କରାଯାଇଥିଲା । ବଡ଼ ଧରଣର ଠକେଇ ସହ ନିରବ ଜଡ଼ିତ ଥିବାରୁ ତାଙ୍କୁ ଜାମିନ ଦେବାକୁ ବିଚାରପତି ମନା କରିଦେଇଥିଲେ ।  ଏହାପରେ ନିରବଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା ।

ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଫଳରେ ସେବେଠାରୁ ସେ ଜେଲରେ ରହିଆସୁଛନ୍ତି । ଆଜି ପୁନର୍ବାର ତାଙ୍କ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେ ଏବେ ଜେଲରେ ରହିବେ । ଆଗାମୀ ଦିନରେ ଜାମିନ ପାଇଁ ସେ ଉଚ୍ଚ ଅଦାଲତକୁ ଯାଇପାରନ୍ତି ।  କ୍ରାଉନ୍ ପ୍ରୋଜିକ୍ୟୁସନ ସର୍ଭିସ (ସିପିଏସ୍) ପକ୍ଷରୁ ନିରବଙ୍କ ଜାମିନ ଆବେଦନକୁ ତୀବ୍ର ବିରୋଧ କରାଯାଇଥିଲା । ସିପିଏସକୁ ଭାରତର ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟର ଏକ ଟିମ୍ ସହାୟତା ଯୋଗାଉଛି।

publive-imageସାକ୍ଷୀଙ୍କୁ ହତ୍ୟା ଧମକ :

ଲଣ୍ଡନ: ପିଏନବିରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀ ସାକ୍ଷୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟଙ୍କୁ କ୍ରାଉନ୍ ପ୍ରସିକ୍ୟୁସନ ସର୍ଭିସ୍ (ସିପିଏସ୍) ତରଫରୁ ଏହା ଅବଗତ କରାଯାଇଛି । ଜାମିନ ଶୁଣାଣି ପାଇଁ ଆସିଥିବା ନିରବ ଏକ ଧଳା ସାର୍ଟ ପିନ୍ଧିଥିଲେ । କୋର୍ଟରେ ପ୍ରବେଶ କରିବା ପରେ ଗ୍ଲାସ୍ ଏନକ୍ଲୋଜର ପଛ ପାଖରେ ବସିଥିଲେ । ଭାରତ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସିପିଏସ୍ ବାରିଷ୍ଟର୍ ଟୋବି କ୍ୟାଡମ୍ୟାନ୍ କୋର୍ଟଙ୍କୁ କହିଥିଲେ ଯେ, ନିରବଙ୍କୁ ଛାଡ଼ିଦେଲେ ସେ ଅନ୍ୟତ୍ର ପଳାୟନ କରିବା ଏବଂ ସାକ୍ଷୀ ତଥା ପ୍ରମାଣକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କ ବିରୋଧରେ ଯେଉଁଭଳି ସଙ୍ଗିନ ଅଭିଯୋଗ ହୋଇଛି ଏବଂ ତାଙ୍କ ପାଖରେ ଯେତେ ସମ୍ବଳ ଅଛି ତାହାକୁ ଯଦି ବିଚାରକୁ ନିଆଯିବ ତେବେ ସେ ବିଚାର ପ୍ରକ୍ରିୟା ଠାରୁ ବହୁତ ଦୂରକୁ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ।

ସେ କୋର୍ଟଙ୍କୁ ଅବଗତ କରିଥିଲେ ଯେ ଏହି ମାମଲାରେ ସାକ୍ଷୀ ଥିବା ଆଶିଷ ଲାଡ୍ ନାମକ ଜଣେ ବ୍ୟକ୍ତିଙ୍କୁ ନିରବ ଫୋନ୍ କରି ହତ୍ୟା ଧମକ ଦେଇଥିଲେ ଏବଂ ମିଛ ବୟାନ ଦେବା ପାଇଁ ୨୦ ଲକ୍ଷ ଟଙ୍କା ଯାଚିଥିଲେ । ନିଳେଶ ମିସ୍ତ୍ରୀ ଏବଂ ଅନ୍ୟ ତିନି ଜଣ ସାକ୍ଷୀଙ୍କୁ ମଧ୍ୟ ମୋଦୀ ସେହିଭଳି ଧମକ ଦେଇଥିଲେ । ମୋବାଇଲ୍ ଫୋନ୍ ଏବଂ ସର୍ଭରରେ ଥିବା ପ୍ରମାଣକୁ ନଷ୍ଟ ମଧ୍ୟ କରିବାରେ ନିରବ ସଫଳ ହୋଇଥିଲେ । ଯଦି ତାଙ୍କୁ ଜାମିନ ପ୍ରଦାନ କରାଯିବ ତେବେ ସେ ଆହୁରି ଅଧିକ ପ୍ରମାଣ ନଷ୍ଟ କରିଦେବେ ବୋଲି ବାରିଷ୍ଟର୍ କହିଥିଲେ । ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ମାମଲା ଲଢ଼ୁଥିବା କ୍ଲେୟାର ମଟଗୋମେରି ନିରବଙ୍କ ମାମଲା ପରିଚାଳନା କରୁଛନ୍ତି । ନିରବ କୌଣସି ଆଡ଼େ ଯିବେ ନାହିଁ ବୋଲି ସେ କୋର୍ଟଙ୍କୁ କହିଛନ୍ତି । ଶୁଣାଣି ଆରମ୍ଭ ବେଳେ ବିଚାରପତି ଏମା ଆରବଥନଟ୍ ଜାଣିବାକୁ ଚାହିଥିଲେ ଯେ ନିରବଙ୍କୁ ଯଦି ଭାରତ ପଠାଯିବ ତେବେ ସେ କେଉଁ ଜେଲରେ ରହିବେ। ତାଙ୍କୁ ଅବଗତ କରାଯାଇଥିଲା ଯେ ନିରବଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ରଖାଯିବ।

ତଦନ୍ତ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ :

ନୂଆଦିଲ୍ଲୀ: ନିରବ ମୋଦୀଙ୍କ ମାମଲାର ତଦନ୍ତ ଅଧିକାରୀ ଜଏଣ୍ଟ୍ ଡାଇରେକ୍ଟର ସତ୍ୟବ୍ରତ କୁମାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ ଡେପୁଟେସନ କାର୍ଯ୍ୟକାଳ ଶେଷ ହୋଇଛି । ସତ୍ୟବ୍ରତ ଏବେ ନିରବ ମାମଲାର ଶୁଣାଣି ପାଇଁ ଲଣ୍ଡନରେ ଅଛନ୍ତି । ସେ ବିଜୟ ମାଲ୍ୟା ଏବଂ କୋଇଲା ଦୁର୍ନୀତି ମାମଲାର ମଧ୍ୟ ତଦନ୍ତ ଅଧିକାରୀ ଥିଲେ । ସେ ପାଞ୍ଚ ବର୍ଷ ପାଇଁ ଇଡିକୁ ଡେପୁଟେସନରେ ଆସିଥିଲେ । ନିୟମ ଅନୁସାରେ ଡେପୁଟେସନ ଅବଧି ଶେଷ ହେବା ପରେ ଅଧିକାରୀ ଜଣଙ୍କୁ ରିଲିଭ୍ କରିବାକୁ ପଡ଼ିଥାଏ । ଏଭଳି ପରିସ୍ଥିତିରେ ତାଙ୍କ ଉପରିସ୍ଥ ଅଧିକାରୀ ତଦନ୍ତ ଭାର ଗ୍ରହଣ କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe