ଶନିବାର ସ୍ୱାଗତ, ରବିବାର ସମୀକ୍ଷା ! ଟ୍ୱିଟ୍ କରି ନିରଞ୍ଜନ ଦେଲେ ଅଭୟବାଣୀ , କହିଲେ, ନେତା ଓ କର୍ମୀଙ୍କ ପ୍ରତି ହେବ ନାହିଁ ଅବିଚାର

31

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ନବକଳେବର ପରେ ଚଳଚଂଚଳ ହୋଇଛି କଂଗ୍ରେସ ଶିବିର । ନୂଆ ମଙ୍ଗୁଆଳଙ୍କୁ ନେଇ ନେତା ଓ କର୍ମୀଙ୍କ ମନରେ ଉତ୍ସାହ । ଆସନ୍ତା କାଲି ଓଡିଶା ଫେରୁଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ନୂଆ ଟିମକୁ ବିରାଟ ପଟୁଆର ସହ ସ୍ୱାଗତ କରିବାକୁ ପ୍ରସ୍ତତି କରୁଛି ଦଳ । ଏପଟେ ସଭାପତି ହେବା ପରେ ନିରଜଂନ ପଟ୍ଟନାୟକ କଂଗ୍ରେସ କର୍ମୀଙ୍କୁ ବାର୍ତା ଦେଇ କହିଛନ୍ତି , ନୂଆ ଟିମ କଂଗ୍ରେସର ଆଶା ଓ ଆକାଂକ୍ଷାକୁ ପୂରଣ କରିବ ।

ମଙ୍ଗୁଆଳ ପରିବର୍ତ୍ତନ ପରେ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଖେଳିଯାଇଛି ଉତ୍ସାହ । ନେତୃତ୍ୱ ପରିବର୍ତନର ନିଷ୍ପତି କଂଗ୍ରେସ ଦଳର ମୁଡକୁ ପୁରା ବଦଳାଇ ଦେଇଛି । ଗୋଟିଏ ସମୟରେ ଝାଉଁଳି ଗଲା ଭଳି ମନେ ହେଉଥିବା କଂଗ୍ରେସରେ ଯେମିତି ଜୀବନ୍ୟାସ୍ ଫୁଙ୍କି ଦେଇଛନ୍ତି ହାଇକମାଣ୍ଡ । କୁହାଯାଉଛି ଦିଲ୍ଲୀର ଗୋଟିଏ ନିଷ୍ପତି ପୁରା କଂଗ୍ରେସ ଦଳକୁ ପୁଣି ଥରେ ଏକଜୁଟ୍ କରିଦେଇଛି । ନିରଞ୍ଜନ ପଟ୍ଟନାୟକ ଦଳର ମଙ୍ଗ ଧରିବା ପରେ ଯେମିତି ନେତା ଓ କର୍ମୀଙ୍କ ମନୋବଳ ଦୁଇଗୁଣିତ ହୋଇଯାଇଛି ।

ନିରଞ୍ଜନ ପଟ୍ଟନାୟକ ବି ଏଥିପାଇଁ ଦଳ ନେତା ଓ କର୍ମୀଙ୍କୁ ଶ୍ରେୟ ଦେବା ସହ କଂଗ୍ରେସର ଉତ୍ଥାନ ପାଇଁ ଆହ୍ୱନ ଦେଇଛନ୍ତି । କଂଗ୍ରେସର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଆହ୍ୱନ ଦେବା ସହ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି, ଦଳର କୌଣସି ନେତା କିମ୍ବା କର୍ମୀଙ୍କ ପ୍ରତି ଅନ୍ୟାୟ ହେବାକୁ ଦେବି ନାହିଁ । ଦାୟିତ୍ୱ କଠିନ କିନ୍ତୁ ଅସମ୍ଭବ ନୁହେଁ । ଆସନ୍ତୁ କଂଗ୍ରେସର ଉତଥାନ ପାଇଁ କାମ କରିବା ଓଡ଼ିଶାକୁ ଆଗେଇ ନେବା ।

ଏହାସହ କଂଗ୍ରେସର ପୁରୁଣା ଦିନକୁ ମନେ ପକାଇ ଲେଖିଛନ୍ତି- ଆମର ପୂର୍ବ ଦୋଷତ୍ରୁଟି ଯୋଗୁଁ ଓଡ଼ିଶାର ଲୋକ ଆମକୁ ଦଣ୍ଡିତ କରିଛନ୍ତି । ତେବେ ଏଭଳି ଦୋଷତ୍ରୁଟିର ପୁନରାବୃତି ହେବ ନାହିଁ । ବରଂ ଓଡ଼ିଶାର ବିକାଶ ପାଇଁ ଏକ ବିକଳ୍ପ ଭାବରେ ଉଭା ହେବୁ, ସେ ବିଶ୍ୱାସ ଲୋକଙ୍କ ମଧ୍ୟରେ ସୃଷ୍ଟି କରିବୁ । ଲୋକଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ବଢ଼ାଇବା ପାଇଁ ପ୍ରଥମ ଦିନରୁ ନିରଞ୍ଜନ ନିଷ୍ପତି ନେଇଥିବା ବେଳେ, ଏପଟେ ୨୦୧୯ ପୂର୍ବରୁ ଦଳୀୟ ନେତାଙ୍କ ଦମ୍ଭ ବଢ଼ି ଯାଇଛି ।

ନେତୃତ୍ୱ ପରିବର୍ତନ ପରେ ଦଳରୁ କଂଗ୍ରେସ ଛାଡ଼ି ଯିବା ପରିବର୍ତେ ପୁଣି ଦଳକୁ ଫେରିବେ ବୋଲି ନେତାଙ୍କ ବିଶ୍ୱାସ ସୃଷ୍ଟି ହୋଇଛି । ଏମିତି କି ଦିଲ୍ଲୀରେ ଆଉ ଡେରା ପଡ଼ିବ ନାହିଁ ବୋଲି ଦଳୀୟ ନେତା କହିଛନ୍ତି । ହାତରେ ଖୁବ୍ କମ୍ ସମୟ, ଆଗକୁ ସବୁଠୁ ବଡ ଚ୍ୟାଲେଂଜ୍ । ଗୋଟିଏ ପଟେ ୪ଥର କ୍ଷମତାରେ ରହିଥିବା ବିଜେଡି, ଅନ୍ୟପଟେ ମୋଦି ହାୱା ନେଇ ପ୍ରଚାର କରୁଥିବା ବିଜେପି । ଏହି ଦୁଇ ପ୍ରମୁଖ ଦଳକୁ ସାମ୍ନା କରିବ ନିରଞ୍ଜନଙ୍କ ନୂଆ ଟିମ୍ । ହେଲେ ଏହି ଚ୍ୟାଲେଂଜକୁ ଦୃଢ଼ତାର ସହ ସାମ୍ନା କରିବାକୁ ଏବେ ପ୍ରସ୍ତୁତି କରୁଛି ଓଡ଼ିଶା କଂଗ୍ରେସ । ଯାହାର ରୁପରେଖ ନୂଆ ପିସିସି ସଭାପତି ଓଡ଼ିଶା ଫେରିବା ପରେ ସ୍ଥିର ହେବ ।