ଜୟ ପଣ୍ଡା ପଦ୍ମ ଧରିବା ପରେ ବାହାମାସ୍ ଲିଙ୍କ କଥା ଉଠାଇଲେ ନିରଞ୍ଜନ : ଟ୍ୱିଟ୍ କରି କହିଲେ, ସବୁ କଳାଟଙ୍କା ବିଜେପିକୁ ନଆସିବା ଯାଏଁ ଅଟକିବେନି ମୋଦି ଓ ଶାହା

430

କନକ ବ୍ୟୁରୋ : ବିଜେପିରେ ବୈଜୟନ୍ତ ସାମିଲ ହେବା ପରେ ଏବେ ଜୋର ଧରିଛି ରାଜ୍ୟ ରାଜନୀତି । ବିଜେଡି ନେତା ପ୍ରତାପ ଜେନା ଏଥିପାଇଁ ବୈଜୟନ୍ତଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବେଇମାନର ଆଖ୍ୟା ଦେଇଥିବା ବେଳେ ଏବେ କଂଗ୍ରେସ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କୁ କଟାକ୍ଷ କରିବାକୁ ଭୁଲି ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଗତ ମାସ ୮ ତାରିଖରେ ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡରିଂ ବା ଟିକସ ଫାଙ୍କି ଅଭିଯୋଗ ସାମ୍ନାକୁ ଆସିଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏନେଇ ଖବର ପ୍ରକାଶ ପାଇଥିଲା । କିନ୍ତୁ ଖବର ପ୍ରକାଶ ପାଇବାର ମାତ୍ର ଗୋଟିଏ ମାସ ନ ପୁରୁଣୁ ବୈଜୟନ୍ତ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଲାଗୁଛି ସତେ ଯେମିତି ସମସ୍ତ କଳାଧନ ବିଜେପି ଦଳକୁ ନ ଫେରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ଅଟକିବେ ନାହିଁ । ଏଭଳି କହି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି ନିରଞ୍ଜନ । ଗୋଟିଏ ପଟେ ଶାନ୍ତ ପଡିଯାଇଥିବା ବୈଜୟନ୍ତଙ୍କ ମନି ଲଣ୍ଡରିଂ ପ୍ରସଙ୍ଗକୁ ପୁଣିଥରେ ଉଠାଇବା ସହ କଳାଧନ ଫେରାଇ ଆଣିବା ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି ।


୨୦୧୪ରେ ବିଜେପି ନିଜର ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଫେରିଲେ କଳାଧନ ଫେରାଇ ଆଣିବାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା । ଏପରିକି ଟିକସ ଫାଙ୍କିବା, ବ୍ଲାକ ମନି ଆଇନକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଥିବା କହି ଆସୁଛି । କିନ୍ତୁ ବୈଜୟନ୍ତ ପଦ୍ମ ଧରିବା ପରେ ବିଜେପିର ଅସଲ ଚେହେରା ପଦାରେ ପଡିଛି । କାରଣ ଗତ ମାସରେ ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ରାଡାରରେ ରହିଛନ୍ତି ବୈଜୟନ୍ତ ।

ଗତମାସରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଜାଲ କଂପାନୀ କରି ଅଜଣା ସୋର୍ସରୁ ୧୭ କୋଟି ୭୨ ଲକ୍ଷ ଟଙ୍କା ହାସଲ କରିଛନ୍ତି ବୈଜୟନ୍ତ । ବାହାମାସ୍ ରେଜିଷ୍ଟ୍ରାର୍ ଅଫ୍ କଂପାନୀ ରେକର୍ଡ ଅନୁସାରେ ୧୯୯୩ ମସିହାରେ ‘ଫିନ୍ଲେ’, ୧୯୯୫ ମସିହାରେ ‘ମେଶିନା’ ଓ ୨୦୦୩ ମସିହାରେ ‘ପିକିକା’ ନାଁରେ ଗଠନ ହୋଇଥିଲା ସେଲ୍ କଂପାନୀ । ସବୁ କଂପାନୀର ଠିକଣା ଥିଲା ଗୋଟିଏ, ଆଉ ଏଥିରେ ଥିଲେ ପ୍ରକ୍ସି ଅଫିସ ବିୟରର୍ । ଏଜେଂଟ୍ କର୍ପୋରେଟ୍ ସର୍ଭିସ ଇଂଟରନେସନାଲ୍ ଜରିଆରେ ଏହି କଂପାନୀ ଗଢ଼ା ଯାଇଥିଲା । ଏହି ଜାଲ୍ କଂପାନୀ ଜରିଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ତାଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ଏବଂ ତାଙ୍କର ସହଯୋଗୀ ମଂଜୁଳା ଦେବୀଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ ଆସିଛି । ବାହାମାସର ତିନି ଜାଲ୍ କଂପାନୀ ଓ ତା’ର ଦୁଇ ଭାରତୀୟ ସହଯୋଗୀ କଂପାନୀ-ପଣ୍ଡା ଇନଭେଷ୍ଟମେଂଟ୍ସ ଓ ମେଟ୍ରୋ ସ୍କାଏନେଟ୍ ଜରିଆରେ ଓରଟେଲ୍ ଇକ୍ୟୁଟି ସେୟାର ଆକାରରେ ୯କୋଟି ୪୬ ଲକ୍ଷ ଟଙ୍କା ହାସଲ କରିଥିଲେ ।

ଗତ ଜାନୁଆରୀରେ ଆୟକର ବିଭାଗରେ ହୋଇଥିବା ଅଭିଯୋଗରେ କୁହାଯାଇଛି, ମନି ଲଣ୍ଡରିଂ ଆଇନ, ବ୍ଲାକ ମନି ଆଇନ ଏବଂ ଆୟକର ଆଇନକୁ ସେମାନେ ଉଲଙ୍ଘନ କରିଛନ୍ତି । ଅଭିଯୋଗ ଅନୁସାରେ, ମିଛ କମ୍ପାନୀ ଜରିଆରେ ଏମାନେ ୧୭ କୋଟି ୭୨ଲକ୍ଷ ଟଙ୍କା ହାସଲ କରିଛନ୍ତି । କିନ୍ତୁ ଏହି ଟଙ୍କା ପ୍ରକୃତରେ କେଉଁଠାରୁ ଆସୁଛି ତାର କୌ÷ଣସି ରେକର୍ଡ ନାହିଁ ବୋଲି ଅଭିଯୋଗ ହୋଇଥିଲା । ଏହାପରେ ସେହି ଟଙ୍କାର ସେୟାରକୁ ଅତି କମ୍ ମୂଲ୍ୟରେ ବୈଜୟନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ଜାଗି ମଙ୍ଗତ ପଣ୍ଡାଙ୍କୁ ମିଳିଥିବା ଅଭିଯୋଗ ହୋଇଥିଲା । ଜାତୀୟ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଥିଲା ।

ବୈଜୟନ୍ତ ବିଜେପିରେ ଯୋଗ ଦେଉ ଦେଉ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ କାଠଗଡାକୁ ଟାଣିଛି କଂଗ୍ରେସ । ତେବେ ଆଗାମୀ ଦିନରେ ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ମାମଲା ତଦନ୍ତ ପରିସରଭୁକ୍ତ ହେଉଛି କି ନାହିଁ ତାହା ଦେଖିବା ବାକି ରହିଲା ।