କନକ ବ୍ୟୁରୋ : ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଏବେ ପ୍ରଚାର ମୈଦାନ ସରଗରମ । ୩ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାରକୁ ଜୋରଦାର କରିଥିବା ବେଳେ ପ୍ରତିଦିନ ବ୍ରଜରାଜନଗରରେ ବଢୁଛି ଷ୍ଟାର କ୍ୟାମ୍ପେନରଙ୍କ ଭିଡ । ଏସବୁ ଭିତରେ ଆସନ୍ତାକାଲି ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବ୍ରଜରାଜନଗରରେ ୩ ଦିନ ରହି ପ୍ରଚାର କରିବେ ନିରଞ୍ଜନ । ବିଭିନ୍ନ କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବେ ନିରଞ୍ଜନ । ଖାସକରି ମହଙ୍ଗା, ବେରୋଜଗାରୀ, ଚାଷୀଙ୍କ ପ୍ରତି ଅବହେଳା ପ୍ରସଙ୍ଗକୁ ମୁଦ୍ଦା କରିବ ଦଳ ।

Advertisment

ଯେହେତୁ ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ ରହି ଆସିଥିଲା ତେଣୁ ପୁଣିଥରେ ଏହି ଗଡକୁ ହାତେଇବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଖାସକରି ଛତିିଶଗଡ ସୀମାନ୍ତକୁ ଲାଗି ରହିଥିବାରୁ ଛତିଶଗଡର କିଛି ବରିଷ୍ଠ ନେତାଙ୍କୁ ଷ୍ଟାର କ୍ୟାମ୍ପେନର ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବ କଂଗେସ । ଖୁବଶୀଘ୍ର ଛତିଶଗଡର ନେତା ମଧ୍ୟ ବ୍ରଜରାଜନଗର ଉପ-ନିର୍ବାଚନର ପ୍ରଚାର ମୈଦାନରେ ସାମିଲ ହୋଇପାରନ୍ତି । ଏପରିକି ଦିଲ୍ଲୀରୁ ମଧ୍ୟ କିଛି ନେତା କିଶୋରଙ୍କ ପାଇଁ ପ୍ରଚାର ମୈଦାନକୁ ଆସିପାରନ୍ତି ବୋଲି ନିରଞ୍ଜନ କହିଛନ୍ତି ।

ଅନ୍ୟପଟେ ଆସନ୍ତାକାଲି  ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଧର୍ମେନ୍ଦ୍ର ଆସନ୍ତାକାଲି ଦିନ ତମାମ କରିବେ ମାରାଥନ ପ୍ରଚାର । ଯେଉଁଥିପାଇଁ ବିଜେପି ଶିବିର ମଧ୍ୟ ବେଶ ଚଳଚଞ୍ଚଳ ହୋଇଉଠିଛି । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେହେତୁ ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି ତେଣୁ ଧର୍ମେନ୍ଦ୍ର ଏବେ ପ୍ରଚାର ମୈଦାନକୁ ଓହ୍ଲାଇବା ସହ ଦଳର ବିଜୟ ପାଇଁ ଭୋଟ ମାଗିବେ ।