ଭାରତ ବନ୍ଦର ଆଂଶିକ ପ୍ରଭାବ: ଭୁବନେଶ୍ୱରରେ ରେଳରୋକ, ବରମୁଣ୍ଡାରେ ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ; ଗାଡି ଚଳାଚଳ ସ୍ୱାଭାବିକ

ନିରଞ୍ଜନ କହିଲେ, ଆଇନକୁ ପ୍ରତ୍ୟାହାର କରନ୍ତୁ ସରକାର

135

କନକ ବ୍ୟୁରୋ: କୃଷକ ଆଇନ ପ୍ରତ୍ୟାହାର ଦାବିରେ ସାରା ରାଜ୍ୟରେ ସକାଳୁ ସକାଳୁ ଭାରତ ବନ୍ଦ ପାଳନ କରାଯାଉଛି । ରେଳଷ୍ଟେସନରେ ରେଳରୋକ କରାଯାଇଥିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ବନ୍ଦର ପ୍ରଭାବ ପଡିଛି । ମାଷ୍ଟରକ୍ୟାଂଟିନ ଛକକୁ ଛାଡିଦେଲେ ଏ ଯାଏଁ କେଉଁ ଜାଗାରେ ବନ୍ଦର ଆଖିଦୃଶିଆ ପ୍ରଭାବ ପଡିନାହିଁ । ଗାଡିମଟର ଯିବା ଆସିବା ସ୍ୱାଭାବିକ ରହିଛି । କେନ୍ଦ୍ରର କୃଷି ଆଇନ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନକୁ ୧୮ଦଳ ସମର୍ଥନ କରିଛନ୍ତି ।

କୃଷକ ସଂଗଠନଙ୍କ ଭାରତ ବନ୍ଦକୁ ସମର୍ଥନ ଜଣାଇ ପ୍ରଦେଶ କଂଗ୍ରେସ ବାଇକ ରାଲି କରିଛି । ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ମାଷ୍ଟର କ୍ୟାଂଟିନରୁ ରାମ ମନ୍ଦିର ଛକ ଯାଏଁ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିଲେ । ପିସିସି ସଭାପତି, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ଜୟଦେବ ଜେନାଙ୍କ ସହ କର୍ମୀମାନେ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପିସିସି ସଭାପତି କହିଛନ୍ତି, କଳା କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ । କୃଷକଙ୍କ ଦାବିକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେଉଛି । ସେହିପରି ବିଜେଡିକୁ ମଧ୍ୟ ଟାର୍ଗେଟ କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେପଟେ ବନ୍ଦର ପ୍ରଭାବ କଟକର ବାଦାମବାଡି ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । କଂଗ୍ରେସ କର୍ମୀ ବନ୍ଦ ପାଳନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଛନ୍ତି । ବସଷ୍ଟାଣ୍ଡରେ ପିକେଟିଂ କରି କଂଗ୍ରେସ କର୍ମୀ ଗାଡି ମୋଟରକୁ ଅଟକାଉଛନ୍ତି । ଯାତ୍ରୀବାହି ବସକୁ କଂଗ୍ରେସ କର୍ମୀ ଅଟକାଉଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ କର୍ମୀ କଟକର ଆକ୍ସିସ ବ୍ୟାଙ୍କର ସଟର ବନ୍ଦ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବନ୍ଦ ପାଳନ ଯୋଗୁଁ ବଦାମବାଡି ବସଷ୍ଟାଣ୍ଡରେ ବସଗୁଡିକ ଚଳାଚଳ କରୁନାହିଁ, ଦୋକାନ ବଜାର ବନ୍ଦ ରହିଛି । ବସ ଚାଲୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି । ବନ୍ଦ ପାଳନକୁ ଆଖିରେ ରଖି ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି । ସେହିପରି ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିଛି ।