ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ । ଆଗାମୀ ୩ ମାସ ନିର୍ଣ୍ଣାୟକ ବୋଲି ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

171

କନକ ବ୍ୟୁରୋ :  କରୋନାକୁ ଦୃ୍ଷ୍ଟିରେ ରଖି ବିଏମସି ଶୀତଦିନିଆ କଟକଣା ଲାଗୁ କରିଥିବା ବେଳେ ଏହାକୁ ନେଇ ବିରୋଧ ଦେଖାଦେଇଛି । ତେବେ ବିଏମସିର ଏଭଳି ପଦକ୍ଷେପକୁ ନେଇ ଅନେକ ଲୋକ ପ୍ରଶ୍ନ ଉଠାଉଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ । କୋଭିଡ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ  ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅଧିକୃତ କରାଯାଇଛି । ଯେଉଁଠି ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ସେଠାରେ ସତର୍କତା ମୂଳକ ପଦକ୍ଷେପ ନେବେ । ଯେଉଁଠି ଯାହା ପର୍ବ ହେଉଛି, ଯେଉଁଠି ଗହଳି ହେବାର ସମ୍ଭାବନା ଅଛି । ତାକୁ କେମିତି ନିୟନ୍ତ୍ରଣ କରାଯିବ । ସେଥିପାଇଁ ଅଧିକାରୀ ମାନଙ୍କୁ କ୍ଷମତା ଦିଆଯାଇଛି । ଆଉ ଭୁବନେଶ୍ୱରର ସ୍ଥିତିକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି  ନେଇଛି ।

ଦେଶରେ ସଂକ୍ରମଣ ବର୍ତ୍ତମାନ ସ୍ଥିର ଅବସ୍ଥାରେ ଅଛି । ଓଡିଶାରେ ମଧ୍ୟ ସ୍ଥିର ଅଛି । ତଥାପି ଆସନ୍ତା ୩ ମାସ ଆମ ପାଇଁ ନିର୍ଣ୍ଣାୟକ ହେବ । ଯେଉଁ ସେରୋ ସର୍ଭେ ହୋଇଥିଲା ସେଥିରେ ୭୦ ପ୍ରତିଶତ ଲୋକଙ୍କ ଇମ୍ୟୁନିଟି ଥିବା ଜଣାପଡ଼ିଛି । ତେଣୁ ଯଦି ଟୀକାକରଣ ଓ ଇମ୍ୟୁନିଟି ବଢିବ ତାହେଲେ ସଂକ୍ରମଣ ସମ୍ଭାବନା କମିଯିବ । ତେଣୁ ୩ ମାସ ଭିତରେ ଯେଉଁ ପାର୍ବଣ ଅଛି ସେଥିରେ ସତର୍କ ରହିବାକୁ ପଡ଼ିବ । ପ୍ରଥମେ ଜୀବନ, ତାପରେ ମେଳା, ମହୋତ୍ସବ, ଯାତ୍ରା । ଏହା ଜାତୀୟ ବିପତ୍ତି, ଏହାର ମୁକାବିଲା କରିବା ଆମର ବଡ ଦାୟିତ୍ୱ । ପୂର୍ବଭଳି ସ୍ଥିତି ଯେପରି ନ ଉପୁଜୁ ସେଥିପାଇଁ ଏଭଳି କଟକଣା ଲଗାଯାଇଛି । ତେଣୁ କୋଭିଡ ସ୍ଥିତି ଚାଲିଗଲେ ମେଳା, ମହୋତ୍ସବ ହୋଇପାରିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।