କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫେଲ୍ ମାରିଛି ନିରାମୟ ଯୋଜନା । ନିରାମୟ କେନ୍ଦ୍ରରେ ସମସ୍ତ ପ୍ରକାର ଔଷଧ ମିଳୁ ନଥିବାରୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କେବଳ ସେତିକି ନୁହେଁ ବାହାରୁ ମେଡିସିନ ଆଣିବା ପାଇଁ ଡାକ୍ତର ପ୍ରେସକିପସନରେ ଲେଖୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ରୋଗୀ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

Advertisment

ନିଆଳି ତୋଟାସାହିର ବିରେନ୍ଦ୍ର ଜେନା ତାଙ୍କ ମା’ଙ୍କ ଦେହ ଅସୁସ୍ଥତା କାରଣରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଡାକ୍ତର ତାଙ୍କୁ ୧୬ ଶହ ଟଙ୍କାର ମେଡିସିନ ବାହାରୁ ଆଣିବା ପାଇଁ ଲେଖିଥିବା ସେ ଅଭିଯୋଗ କରିଛନ୍ତି । ମାତ୍ର ନିରାମୟ ଯୋଜନାରୁ ଗୋଟିଏ ସାଲାଇନ ମିଳିଥିବା କହିଛନ୍ତି । ଆଉ ସବୁ ଔଷଧ ସେ ବାହାରୁ କିଣିଥିଲେ । ସେହିପରି ଆଉ ଜଣେ ରୋଗୀ ନିଆଳି ଲୁଣିଗାଁର ସୁବତ୍ର ସେଠ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ଥିଲେ ଏବଂ ଡାକ୍ତର ୨ ହଜାର ଟଙ୍କାର ଔଷଧ ଲେଖିଥିଲେ । ଯାହା ତାଙ୍କୁ ବାହାରୁ ଆଣିବାକୁ ପଡ଼ିଥିବା ସେ କହିଛନ୍ତି ।

ତେବେ ଅଭିଯୋଗ କିଛି ମାତ୍ରାରେ ସତ ବୋଲି କହିବା ସହିତ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି କହିଛନ୍ତି ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନରେ ଆସିଥିବା ନିରାମୟର ଆଡଭାଇଜର ରଞନ କୁମାର ବିଶ୍ୱାଳ ।