ନିର୍ମଳାଙ୍କୁ ନମସ୍କାର କଲେ ଡ୍ରାଗନସେନା ! ଭିଡିଓ ଭାଇରାଲ

51

ନମସ୍କାର ଶବ୍ଦଟି ଭାରତୀୟ ପରମ୍ପରା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ । ନମସ୍କାର ହେଉଛି ଭାରତୀୟ ସଂସ୍କୃତିର ଏକ ପ୍ରତୀକ । ବିଦେଶୀ ଅତିଥି ଭାରତକୁ ଆସିଲେ ନମସ୍କାର କରି ସ୍ୱାଗତ କରାଯାଇଥାଏ । କିନ୍ତୁ ଏବେ ଭାରତ-ଚୀନ ସୀମାରେ ଡ୍ରାଗନବାହିନୀକୁ ନମସ୍କାରର ଅର୍ଥ ବୁଝାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଗୋଟିଏ ପଟେ ଡୋକଲାମକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନିର୍ମଳାଙ୍କ ଏହି ପଦକ୍ଷେପକୁ ଖୁବ୍ ପ୍ରଂଶସା କରାଯାଉଛି ।

nirmala-sitharamanଭାରତ-ଚୀନ ସୀମା ପରିଦର୍ଶନ କରିବାକୁ ଗତକାଲି ନିର୍ମଳା ସିକ୍କିମ ନାଥୁଲାରେ ପହଞ୍ଚଥିଲେ । ସେଠାରେ ଉପସ୍ଥିତ ଥିବା ଚୀନ୍ ସୈନିକଙ୍କ ସହ ବାର୍ତ୍ତଳାପ କରିବା ବେଳେ ନିର୍ମଳା ସେମାନଙ୍କୁ ନମସ୍କାର କରି ଅଭିବାଦନ ଜଣାଇଥିଲେ । କିନ୍ତୁ ନମସ୍କାରର ପ୍ରକୃତ ଅର୍ଥ ବୁଝି ପାରିନଥିଲେ ଚୀନ୍ ସୈନିକ । ତେଣୁ ନିର୍ମଳା ସେମାନଙ୍କୁ ନମସ୍କାର ଅର୍ଥ ବୁଝାଇଥିଲେ । ଏହାପରେ ଚୀନ ସୈନିକ ମଧ୍ୟ ତାଙ୍କ ଭାଷାରେ ଏହାର ଉତ୍ତର ଦେଇଥିଲେ ନିର୍ମଳାଙ୍କୁ । ହାତଯୋଡି ନିର୍ମଳାଙ୍କୁ ପ୍ରତିନମସ୍କାର କରିବା ସହ ଅଭିବାଦନ ଜଣାଇଥିଲେ ଚୀନ ସୈନ୍ୟ । କେବଳ ନମସ୍କାର କରିନଥିଲେ ନିର୍ମଳାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଏହା ଦୁଇଦେଶ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସର୍ମ୍ପକକୁୁ ଦର୍ଶାଇଥିଲା ।

ରକ୍ଷାମନ୍ତ୍ରୀ ନିଜ ଟ୍ୱିଟର ପେଜରେ ଏହି ସମୟର ଭିଡିଓ ଅପଲୋଡ କରିଥିଲେ । ଦେଢ ମିନିଟର ଏହି ଭିଡିଓରେ ସମସ୍ତ ଘଟଣାବଳୀ ଦର୍ଶାଯାଇଥିଲା । ତେବେ ନିର୍ମଳାଙ୍କ ଏହି ଗସ୍ତ ଦୁଇଦେଶ ମଧ୍ୟରେ ଶାନ୍ତି ରକ୍ଷା କରିବାରେ ସହାୟକ ହୋଇପାରେ । କାରଣ ଦୀର୍ଘଦିନ ଧରି ଡୋକଲାମକୁ ନେଇ ଭାରତ-ଚୀନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି । ରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସୀମାର ସମସ୍ତ ଅଞ୍ଚଳ ବୁଲି ଦେଖିବା ସହ ଆଇଟିବିପି ଅଧିକାରୀଙ୍କ ସହ ସୀମା ସୁରକ୍ଷା ନେଇ ଆଲୋଚନା କରିଥିଲେ ।