ରାଜ୍ୟ କଂଗ୍ରେସର ନବକଳେବର ! ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି, ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

41

କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସର ହେଲା ନବକଳେବର । ବଦଳିଲେ ପିସିସି ମୁଖିଆ । ନିରଞ୍ଜନ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି । ନିରଞ୍ଜନଙ୍କ ନାଁରେ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ମୋହର ମାରିଛନ୍ତି । ନିରଞ୍ଜନଙ୍କ ଛଡା ପିସିସିର ତିନି କାର୍ଯ୍ୟକାରୀ ସଭାପତିଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ରାହୁଲ ଗାନ୍ଧି । ଆଗାମୀ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା କଂଗ୍ରେସ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ରାହୁଲ ଗାନ୍ଧି ।

ସେହିଭଳି ପ୍ରଚାର କମିଟିର ମୁଖ୍ୟ ଭାବେ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା କୋଅଡିନେସକ ମୁଖ୍ୟ ଭାବେ ଜଗନ୍ନାଥ ପଟ୍ଟନାୟକଙ୍କୁ ବାଛିଛନ୍ତି କଂଗ୍ରେସ ମୁଖିଆ । ଦଳର ଶୃଙ୍ଖଳା କମିଟି ମ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । କୋର କମିଟିର ଦାୟିତ୍ୱ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଆବାହକ ଭାବେ ଶରତ ପଟ୍ଟନାୟକଙ୍କୁ ସ୍ଥାନ ମିଳିଛି । ନିର୍ବାଚନୀ ଇସ୍ତାହାର ମୁଖ୍ୟ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଆବାହକ ଭାବେ ଶରତ ରାଉତଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାହୁଲ ଗାନ୍ଧି । ତେବେ ପ୍ରସାଦଙ୍କୁ ନୂଆ ଟିମରେ ସ୍ଥାନ ମିଳି ନାହିଁ ।

ପିସିସି ସଭାପତି ଭାବେ ଦାୟିତ୍ୱ ମିଳିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପି ଓ ବିଜେଡି ଆଶାନୁରୂପ ଦିଗଦର୍ଶନ ଦେଇନାହାନ୍ତି ।ଓଡ଼ିଶାର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପୂରଣ ହୋଇନି । ଏବେ ଓଡ଼ିଶା ସଙ୍କଟଜନକ ପରିସ୍ଥ୍ିତି ଦେଇ ଗତି କରୁଛି । ଏହାବ୍ୟତୀତ ଦଳ ଛାଡିଥିବା କଂଗ୍ରେସ ନେତାଙ୍କୁ ନେଇ ନିରଞ୍ଜନ କହିଛନ୍ତି, ଯିଏ ଦଳ ଛାଡିଛନ୍ତି ସେମାନେ ବ୍ୟକ୍ତିଗତ କାରଣରୁ ଦଳ ଛାଡିଛନ୍ତି । କଂଗ୍ରେସ ପ୍ରତି ଯାହାର ସମର୍ଥନ ଅଛି ସେମାନେ ଦଳକୁ ଆସିପାରିବେ ବୋଲି କହିଛନ୍ତି ନିରଞ୍ଜନ ।ଏହାଛଡା ରାଜ୍ୟରେ କଂଗ୍ରେସର ସ୍ଥିିତି ନେଇ ନିରଞ୍ଜନ କହିଛନ୍ତି, ଓଡ଼ିଶାରେ କଂଗ୍ରେସର ସ୍ଥିତି ଭଳ କରିବାକୁ ପ୍ରୟାସ କରାଯିବ ।ତେବେ ନିରଞ୍ଜନଙ୍କୁ ଦାୟିତ୍ୱ ମିଳିବା ପରେ ରାଜ୍ୟ କଂଗ୍ରେସରେ ଉତ୍ସାହ ଦେଖାଦେଇଛି ।