କନକ ବ୍ୟୁରୋ: ପ୍ୟାରିସ ଅଲିମ୍ପିକ୍ସରେ କମାଲ କରୁଛି ଭାରତର ଷ୍ଟାର ପ୍ଲେୟାର ନୀରଜ ଚୋପ୍ରାଙ୍କ ଜାଭଲିନ୍ । ଯୋଗ୍ୟତା ପର୍ୟ୍ୟାୟର ପ୍ରଥମ ପ୍ରୟାସରେ ହିଁ ଫାଇନାଲ ଟିକେଟ ହାତେଇଛନ୍ତି ଭାରତର ଏହି ସୁନା ପୁଅ । ଆଜି ସ୍ୱର୍ଣ୍ଣ ପଦକ ପାଇଁ ହେବ ଫାଇନାଲ ଫାଇଟ୍ । ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିବାର ସବୁଠୁ ବଡ଼ ଦାବିଦାର ରହିଛନ୍ତି ନୀରଜ । ଯୋଗ୍ୟତା ପର୍ୟ୍ୟାୟରେ ନୀରଜ ଏକ ନମ୍ବର ସ୍ଥାନରେ ଥିବା ବେଳେ ତାଙ୍କ ନିକଟତର ମଧ୍ୟ ହୋଇପାରି ନାହାନ୍ତି ଅନ୍ୟ ପ୍ରତିଯୋଗୀ । ତେଣୁ ନୀରଜ ସ୍ୱର୍ଣ୍ଣ ଜିତିବା ନେଇ ପ୍ରତି ଭାରତୀୟଙ୍କ ମନରେ ରହିଛି ଆଶା । ଆଜି ରାତି ୧୧ଟା ୫୫ରେ ଖେଳାଯିବ ଫାଇନାଲ ମ୍ୟାଚ୍ । ତେବେ ନୀରଜଙ୍କ ଆଗରେ କଣ୍ଟା ସାଜି ପାରନ୍ତି ପାକିସ୍ତାନ ପ୍ରତିଦ୍ୱନ୍ଦୀ ଅର୍ଶଦ ନଦୀମ । ଯୋଗ୍ୟତା ପର୍ୟ୍ୟାୟରେ ନୀରଜଙ୍କଠାରୁ ୩ ମିଟର ପଛରେ ଥିଲେ ମଧ୍ୟ ଅନେକ ଥର ଅନ୍ତର୍ଜାତୀୟ ମ୍ୟାଚରେ ସେ ନୀରଜଙ୍କୁ କଡ଼ା ଟକ୍କର ଦେଇଛନ୍ତି । ତେଣୁ ଆଜି ହେବାକୁ ଥିବା ଫାଇନାଲ ନୀରଜଙ୍କ ପାଇଁ ହେବ ଅଗ୍ନି ପରୀକ୍ଷା । ଟୋକିଓ ଅଲିମ୍ପିକ୍ସ ଭଳି ପ୍ୟାରିସରେ ମଧ୍ୟ ନୀରଜ ସ୍ୱର୍ଣ୍ଣ ଜିତିବା ନେଇ ପ୍ରତି ଭାରତୀୟଙ୍କ ମନରେ ରହିଛି ବିଶ୍ୱାସ ।