କୁନ୍ଦୁଲି ଗଣଦୁଷ୍କର୍ମକୁ ନେଇ ତେଜିଲା ରାଜନୀତି ! ନ୍ୟାୟ ଦାବିରେ କୁନ୍ଦୁଲିରୁ କୋରାପୁଟକୁ ଆଜି କଂଗ୍ରେସର ନିର୍ଭୟା ସନ୍ଦେଶ ପଦଯାତ୍ରା

36

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ସରଗରମ ରାଜନୀତି । ଆଜି କଂଗ୍ରେସ କୁନ୍ଦୁଲି ହାଟପଦାରୁ କୋରାପୁଟ ଯାଏଁ କରିବ ନିର୍ଭୟା ସନ୍ଦେଶ ପଦଯାତ୍ରା । ଏହି ପଦଯାତ୍ରାରେ ସାମିଲ ହେବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତଚରଣ ଦାସଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତା । ପଦଯାତ୍ରାରେ ନାଁରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିବ । ସବୁ ବାଦ ବିବାଦ ପରେ ପୁଣିଥରେ ଏକାସାଙ୍ଗରେ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳିବ ।

ପଦଯାତ୍ରା ଶେଷରେ କଂଗ୍ରେସ, ଡିଆଇଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବ । ଗତକାଲି କଂଗ୍ରେସର କୋରାପୁଟ ବନ୍ଦ ସଫଳ ହୋଇଥିବା ବେଳେ ସଂଧ୍ୟା ବେଳକୁ ଦଳ ଭିତରେ ଥିବା ଫାଟ ପଦାକୁ ଆସିଛି । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ନିକଟରେ ଏହି ପଦଯାତ୍ରାର ଖବର ନାହିଁ । କଂଗ୍ରେସର ବନ୍ଦ ଡାକରା ସଂପର୍କରେ ତାଙ୍କୁ କିମ୍ବା ଜିଲ୍ଲା ସଭାପତିଙ୍କୁ ସୂଚନା ଦିଆଯାଇ ନଥିବା କହିଛନ୍ତି ତାରା । ତାରାଙ୍କ ବୟାନ ପରେ ଦଳ ଭିତରେ ଥିବା ବିବାଦ ସାମ୍ନାକୁ ଆସିଛି ।

କୋରାପୁଟ କୁନ୍ଦୁଲୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ୬ ଦିନ ବିତିଲାଣି । କିନ୍ତୁ ଏବେ ବି କ୍ରାଇମବ୍ରାଂଚ ଓ ପୋଲିସ ହାତ ଖାଲି । ଅଭିଯୁକ୍ତଙ୍କ ପାଖରେ ପଂହଚିପାରିନାହାନ୍ତି ତଦନ୍ତକାରୀ ସଂସ୍ଥା । କ୍ରାଇମବ୍ରାଂଚ ଘଟଣାର ତଦନ୍ତ କରି ଫେରିଯାଇଥିଲେ ବି କାହାକୁ ଗିରଫ କରାଯାଇନାହିଁ । ତଦନ୍ତକାରୀ ଏଜେନ୍ସିର ସଦସ୍ୟ ଘଟଣାସ୍ଥଳ, ମେଡିକାଲ ବୁଲିବା ସହ ପୀଡିତା ଛାତ୍ରୀ ଓ ମାଙ୍କ ବୟାନ ରେକର୍ଡ କରିଥିଲା । ତାସତ୍ୱେ ଅଭିଯୁକ୍ତକୁ ଗିରଫ କରାଯାଇପାରିନାହିଁ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ ଦାବିରେ ଗତକାଲି ଜିଲ୍ଲା କଂଗ୍ରେସ କୋରାପୁଟ ବନ୍ଦ ପାଳନ କରିଥିଲା ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଗତକାଲିର ବନ୍ଦ ପରେ ଆଜି ପୁଣି ଦେଓମାଳିର ନିର୍ଭୟା ସନ୍ଦେଶ ପଦଯାତ୍ରା କାହିଁକି । ଏହି ରାଜ୍ୟ କଂଗ୍ରେସର ଫାଟକୁ ପଦାରେ ପକାଉନାହିଁ କି । ବଡ ପ୍ରଶ୍ନ ହେଉଛି , ପ୍ରସାଦ ହରିଚନ୍ଦନ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ କିଛି ମତଭେଦ ରହିଛି କି । । ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରୁଛି । ତେଣୁ ସେ ସମୂର୍ଣ୍ଣ ସୁସ୍ଥ ହେବା ପରେ ସତ ସାମ୍ନାକୁ ଆସିବ କି । ଘଟଣା ନେଇ ଅନ୍ୟ ଦଳ ଚୁପ କାହିଁକି । ତେବେ ଏହି ଘଟଣା ପରେ ପୀଡିତାଙ୍କ ପରିବାରର ୪ ଜଣଙ୍କୁ ପୋଲିସ ଉଠାଇନେଇଥିବା ଚର୍ଚ୍ଚା ହେଉଛି । ଏହା ପଛର ସତ୍ୟତା କଣ ତାହା ଆଗାମୀ ଦିନରେ ଜଣାପଡିବ ।