ବାଂଲାଦେଶରୁ ଆସିଛି ଘାତକ ନିପା ଭାଇରସ । ଏନଆଇଭିବି ବାଂଲାଦେଶରୁ ସଂକ୍ରମଣ ହୋଇଥିବା ନେଇ ବୈଜ୍ଞାନିକଙ୍କ ସ୍ପଷ୍ଟିକରଣ ।

43

କନକ ବ୍ୟୁରୋ : କେରଳରେ ୧୩ଜଣଙ୍କର ଜୀବନ ନେଇଥିବା ନିପା ଭାଇରସ ବାଂଲାଦେଶରୁ ଆସିଛି । ଏବେ କେରଳରେ ବ୍ୟାପୁଥିବା ବାଂଲାଦେଶ ନିପା ଭୂତାଣୁ ବା ଏନଆଇଭିବି ବାଂଲାଦେଶରୁ ସଂକ୍ରମଣ ହୋଇଛି ବୋଲି ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି ବା ଏନଆଇଭିର ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

ନିପା ଭାଇରସର ଦୁଇଟି ନମୂନା ଥାଏ । ପ୍ରଥମଟି ହେଲା ମାଲେସିଆ ଭୂତାଣୁ ବା ଏନଆଇଭିଏମ୍ ଓ ଦ୍ୱିତୀୟଟି ହେଲା ବାଂଲାଦେଶ ଭୂତାଣୁ ଯାହା ଏନଆଇଭିବି । ଉଭୟ ଭୂତାଣୁରେ ପ୍ରାୟ ୬୦ପ୍ରତିଶତରୁ ୮୫ପ୍ରତିଶତ ସଂକ୍ରମଣ ଆଶଙ୍କା ଥାଏ । ଏହାସହ ଭାରତୀୟ ନିପା ଭାଇରସ ଭୂତାଣୁ ବାଂଲାଦେଶ ଭୂତାଣୁ ସହ ପ୍ରାୟତଃ ସମାନ । ୨୦୦୧ରେ ବାଂଲାଦେଶରେ ପ୍ରଥମେ ନିପା ଭାଇରସ ଚିହ୍ନଟ କରାଯାଇଥିଲା । ଏନସେପାଲାଇଟିସ ବ୍ୟାପୁଥିବା ବେଳେ ଏହାକୁ ଚିହ୍ନଟ କରାଯାଇଥିଲା । ବାଂଲାଦେଶରେ ପ୍ରତି ବର୍ଷ ନିପା ଭୂତାଣୁ ଦ୍ୱାରା ଲୋକେ ସଂକ୍ରମଣର ଶିକାର ହେଉଛନ୍ତି ।

ବାଂଲାଦେଶରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ବାଦୁଡିର ପରିଶ୍ରା ଓ ଲାଳ ଲାଗିଥିବା  ତାଳ ରସ ଏହି ନିପା ଭୂତାଣୁ ସଂକ୍ରମଣର ମୁଖ୍ୟ କାରଣ । ଏହା ପ୍ରଥମେ ବାଦୁଡି ଠାରୁ ତାଳ ଗଛ ଓ ମଣିଷକୁ ସଂକ୍ରମିତ କରିଥାଏ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଚଳିତ ବର୍ଷ ନିପା ଭାଇରସ ସଂକ୍ରମଣରେ କେରଳରେ ୧୩ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂକ୍ରମଣକୁ ରୋକିବା ପାଇଁ ଗଠନ ହୋଇଥିବା ଟିମ୍ କେରଳ କୋଝିକୋଡି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହି ଦଳରେ ନ୍ୟାସନାଲ ସେଂଟର ଫର୍ ଡିଜିଜ୍ କଂଟ୍ରୋଲ, ଏମ୍ସ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିର ବୈଜ୍ଞାନିକମାନେ ଅଛନ୍ତି ।