ସାବଧାନ ! ଭାରତରେ ବ୍ୟାପୁଛି ଭୟଙ୍କର ନିପାହ ଭାଇରସ, ନିରାକରଣ ପାଇଁ ବାହାରିନି କୌଣସି ଔଷଧ

135

ଭାରତରେ ବ୍ୟାପିବାରେ ଲାଗିଛି ଭୟଙ୍କର ନିପାହ ଭାଇରସ । କେରଳର କୋଝିକୋଡ଼ ଅଞ୍ଚଳରେ ଏହି ଭୟଙ୍କର ଭାଇରସ ବ୍ୟାପିବାରେ ଲାଗିଛି । ଏହି ଭାଇରସ ପ୍ରଭାବରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପରିକି ୨୫ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନାରେ ଏହି ଭାଇରସ ଥିବା ଜଣା ପଡ଼ିଛି । ଏମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏହି ଭାଇରସ ଯୋଗୁଁ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ କେରଳ ସରକାର କେନ୍ଦ୍ର ସରକାରଙ୍କ ସାହାର୍ଯ୍ୟ ଲୋଡ଼ିଛି । ନ୍ୟାସନାଲ ସେଣ୍ଟର ଫର ଡ଼ିସିଜି କଣ୍ଟ୍ରୋଲର ଏକ ଟିମ୍ ନିପାହ ଭାଇରସ ପ୍ରଭାବିତ ଅଞ୍ଚଳରେ ଗସ୍ତ କରିବେ ବୋଲି ଜଣାପଡ଼ିଛି । ଇଣ୍ଡିଆନ ମେଡ଼ିକାଲ ଆସୋସିଏସନର ଏକ କମିଟି ନିପାହ ଭାଇରସ ବିଷୟରେ ଅଧିକ ତଥ୍ୟ ହାସଲ କରିବା ଆରମ୍ଭ କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, ବାଦୁଡ଼ି ଯୋଗୁଁ ନିପାହ ଭାଇରସ ବ୍ୟାପିଥାଏ । ପ୍ରଥମେ ଏହା ବିଭିନ୍ନ ଫଳକୁ ବ୍ୟାପିଥାଏ ଏବଂ ଫଳରୁ ମଣିଷ ଓ ଜୀବଜନ୍ତୁଙ୍କ ଶରୀରକୁ ବ୍ୟାପିଥାଏ । ୧୯୯୮ ମସିହାରେ ପ୍ରଥମ ଥର ପାଇଁ ମାଲେସିଆର କାପୁଙ୍ଗ ସୁଙ୍ଗଇ ନିପାହ ଅଞ୍ଚଳରେ ଏହି ଭାଇରସ ଦେଖିବାକୁ ମିଳିଥିଲା । ଏହି ସ୍ଥାନ ନାମନୁସାରେ ଏହି ଭାଇରସର ନାଁ ନିପାହ ଭାଇରସ ରଖାଯାଇଛି । ୨୦୦୪ ମସିହାରେ ଏହି ଭୟଙ୍କର ଭାଇରସ ବଙ୍ଗଳାଦେଶକୁ ବ୍ୟାପିଥିଲା ।

ଭାରତର ପ୍ରଥମଥର ପାଇଁ ଏହି ଭାଇରସ କେରଳରେ ଦେଖାଯାଇଛି । ଏହି ଭାଇରସରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହାଛଡ଼ା ମସ୍ତିଷ୍କ ଜଳାପୋଡ଼ା ଭଳି ଅନୁଭବ ହୋଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ଏହାର ଚିକିତ୍ସା ନ କରିଲେ ଭାଇରସ ପ୍ରଭାବିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଭାଇରସର ନିରାକରଣ ପାଇଁ କୌଣସି ଭ୍ୟାକସିନ ବା ଟୀକା ନାହିଁ । ତେଣୁ ଏହି ଭାଇରସରୁ ରକ୍ଷା ପାଇବାକୁ ହେଲେ ଫଳ ଖାସକରି ଖଜୁରୀ ଖାଇବାରୁ ଦୂରେଇ ରହିବା ଉଚିତ । ଏପରିକି ଏହି ଭାଇରସ ଆକ୍ରାନ୍ତ ଜୀବଜନ୍ତୁଙ୍କ ଠାରୁ ଦୁରେଇ ରହିବା ଉଚିତ ।