ନିପାହ ଭାଇରସ ବ୍ୟାପିବା କାରଣରୁ ବହୁତ ଲୋକଙ୍କ ମୃତ୍ୟୁ ଘଟିଛି । କେରଳରେ ନିପାହ ଭାଇରସ କାରଣରୁ ଏପର୍ଯ୍ୟନ୍ତ ପ୍ରାୟ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିସାରିଛି । ଦେଶରେ ବିଭିନ୍ନ ରାଜ୍ୟ ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏହି ଭାଇରସରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାର ପଦକ୍ଷେପ ମଧ୍ୟ ନିଆଯାଇଛି । ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ କିଛି ସାବଧାନତା ଅବଲମ୍ବନ କରି ଏହି ରୋଗରୁ ମୁକ୍ତି ପାଇପାରିବେ । ଯେପରିକି ନିଜ ଶରୀରକୁ ସଫା ସୁତୁରା ରଖିବା । ଖାଇବା ପୂର୍ବରୁ ଭଲ ଭାବରେ ହାତ ଧୋଇବା, ଖାଦ୍ୟକୁ ଭଲଭାବରେ ଗରମ କରି ରାନ୍ଧି ଖାଇବା ଦ୍ୱାରା ନିପାହ ଭାଇରସ ଠାରୁ ଦୂରେଇ ରହିପାରିବେ ।
ନିପାହ ଭାଇରସ ପଶୁମାନଙ୍କ ଠାରୁ ମଣିଷ ମାନଙ୍କୁ ବ୍ୟାପିଥିବା ବେଳେ ମଣିଷ ଠାରୁ ମଣିଷଙ୍କୁ ବ୍ୟାପୁଥିବାର ମଧ୍ୟ ଦେଖା ଯାଇଛି । ପ୍ରଥମେ ଏହି ଭାଇରସ ମାଲେସିଆର ସୁଅର ପଲକୋରେ ଦେଖା ଦେଇଥିଲା । ପରେ ୨୦୦୧ ମସିହାରେ ସିଲିଗୁଡି ଠାରେ ଦେଖାଦେଇଥିଲା । ଏବେ ଏହି ଭାଇରସ କେରଳର ଚାରୋଟି ଜିଲ୍ଲାରେ ବ୍ୟାପୁଥିବାର ଜଣା ପଡିଛି ।
ସୂଚନା ଅନୁଯାୟୀ, ନିପାହ ଭାଇରସ ବାହକ ହେଉଛନ୍ତି ବାଦୁଡି ଏବଂ ଘୁଷୁରି । ନିପାହ ସଂକ୍ରମିତ ପଶୁ ପକ୍ଷୀଙ୍କ ଲାଳ, ମଳ, ମୁତ୍ର ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ବ୍ୟାପି ଥାଏ । ଏହା ମଣିଷ ଠାରୁ ମଣିଷଙ୍କୁ ମଧ୍ୟ ସଂକ୍ରମିତ ହୋଇଥାଏ । ତେଣୁ ନିପାହ ରୋଗରେ ସଂକ୍ରମିତ ଥିବା ରୋଗୀ ମାନଙ୍କ ଠାରୁ ୧ ମିଟର ବ୍ୟବଧାନ ରକ୍ଷା କରିଲେ ଏହି ରୋଗ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିନଥାଏ । ତେଣୁ ସଂକ୍ରାମକ ରୋଗୀ ମାନଙ୍କ ଠାରୁ ଦୁରେଇ ରହିବା ଆବଶ୍ୟକ ।
ନିପାହ ରୋଗରେ ସଂକ୍ରମିତ ହେବା ମାତ୍ରେ ବ୍ୟକ୍ତିକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହା ସହିତ ଜ୍ୱର, ଦେହ ହାତ ଦରଜ, କଫ ଆଦି ଭଳି ସମସ୍ୟା ଦେଖାଦେଇଥାଏ । ସବୁଠୁ ବଡ କଥା ହେଉଛି ଏହି ରୋଗ ସଂକ୍ରମିତ ହେବାର ୨ ସପ୍ତାହ ପରେ ସାମ୍ନାକୁ ଆସିଥାଏ । ଦିଲ୍ଲୀର ପ୍ରୋଟେଷ୍ଟ ହସ୍ପିଟାଲର ପଲ୍ମନୋଲୋଜି ବିଭାଗର ପ୍ରମୁଖ ବିକାଶ ମୋର୍ଥଙ୍କ କହିବା ଅନୁସାରେ ଯେପର୍ଯ୍ୟନ୍ତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହି ଭାଇରସ ବିରୁଦ୍ଧରେ କାମ ନକରିଛି ସେପର୍ଯ୍ୟନ୍ତ ପ୍ରାୟ ୧୦ ରୁ ୧୫ ଦିନ ରୋଗୀକୁ ସମସ୍ତଙ୍କ ଠାରୁ ଅଲଗା ରଖିବା ଆବଶ୍ୟକ । କେରଳ ସରକାର ଏହି ଭାଇରସ ସହ ଲଢିବା ପାଇଁ ଏକ ଆଣ୍ଟି ଭାଇରଲ ରିବରିନର ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି ।