କନକ ବ୍ୟୁରୋ: ହୁ ହୁ ହୋଇ ବଢୁଛି ପିଆଜ ଦର। ପିଆଜ କିଲୋପ୍ରତି ୫୦ରୁ ୫୫ ଟଙ୍କାରେ ବିକ୍ରି ହେଉଥବାବେଳେ ଏବେ ଚିନ୍ତାରେ ଖାଉଟି। ଦର ବୃଦ୍ଧି ଉପରେ ଲାଗୁନାହିଁ ଲଗାମ । ଖାଦ୍ୟ ଓ ଯୋଗାଣ ବିଭାଗର କଟକଣା ନଥିବାରୁ ବେଧଡକ ଭାବେ ଚଢା ଦରରେ ବିକ୍ରି ହେଉଛି ପିଆଜ ।
ଆଳୁ କନ୍ଦାଇଲା । ଏବେ ଆସିଲା ପିଆଜ ପାଳି । ଆଲୁ ଦର କିଲୋପ୍ରତି ୪୦ରୁ କମୁନଥିବାବେଳେ ଏବେ ପିଆଜ କିଲୋପ୍ରତି ୫୦ ଟଙ୍କା ଲୋକଙ୍କୁ ବାଧିଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର ୫୦ ଟଙ୍କା ହେଲାଣି । ଭୁବନେଶ୍ୱର ଏକ ନମ୍ୱର ହାଟରେ ପିଆଜ କଲୋ ପ୍ରତି ୫୦ ଟଙ୍କା ବିକ୍ରି ହେଉଥିବାବେଲେ ଖୁଚୁରା ଦୋକାନୀ ୫୨ରୁ ୫୫ ଟଙ୍କା ବିକ୍ରି କରୁଛନ୍ତି । ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଲାଣି ଏହି ଦର ।
ହାଟରେ ବା ଛୋଟ ଛୋଟ ଦୋକାନରେ ପିଆଜ କିଲୋ ପିଛା ୫୦ ରୁ ୫୫ ଟଙ୍କା ବିକ୍ରି ହେଉଥିବାବେଳେ ଗୋଦାମରେ ପିଆଜ କିଲୋ ମାତ୍ର ୩୭ଟଙ୍କା ରହିଛି । ଏହି ଦର ହେଉଛି ଭୁବନେଶ୍ୱର ଆଇଗିଣିଆ ଗୋଦାମର । ଭୁବନେଶ୍ୱର ଏକ ନମ୍ୱର ହାଟକୁ ଏହି ଗୋଦାମରୁ ଯାଉଛି ପିଆଜ । ଆଇଗିଣିଆରୁ ଏକ ନମ୍ୱର ହାଟର ଦୂରତା ମାତ୍ର ୧୨ କିଲୋମିଟର ହୋଇଥିବାବେଳେ ପିଆଜ କିଲୋ ପିଛା ୧୩ ଟଙ୍କାରୁ ଅଧିକ ନେଉଛନ୍ତି ଖୁଚୁରା ବ୍ୟବସାୟୀ।
ଆଳୁ ଦର ବଢିଲାବେଳକୁ ରାଜ୍ୟରେ ହେଲା ତୁମ୍ବି ତୋଫାନ । ଚର୍ଚ୍ଚା ବଢିଲାବେଳକୁ ଖାଦ୍ୟ ଓ ଯୋଗାଣ ବିଭାଗବି ଚଢାଉ କଲେ । କିନ୍ତୁ ଏହାରି ଭିତରେ ବଢିଗଲାଣି ପିଆଜ ଦର । ଆଳୁ ଏବେ ବଜାରରେ ଚାଳିଶ ଟଙ୍କା ଥିବାବେଳେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ପ୍ରଶ୍ନ ଉଠୁଛି, ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ , ପିଆଜ ପାଇଁ କେତେ ଦିନ କାନ୍ଦିବେ ଲୋକେ ।