କନକ ବ୍ୟୁରୋ: ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ । କୋଭିଡ୍ ପାଇଁ ରାଜ୍ୟରେ ଏବେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ । ଏବେ ରାଜ୍ୟର କେବଳ କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି । ସରକାରୀ ଶିକ୍ଷାନୁଷ୍ଠାନରୁ ଏଯାବତ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ତେଣୁ ସରକାରୀ ସ୍କୁଲକୁ ବନ୍ଦ କରିବାକୁ ଏଯାଏଁ କୌଣସି ନିଷ୍ପତ୍ତି ହୋଇନି ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Advertisment

ରାଜ୍ୟର କିଛି ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ ସରକାରୀ ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଥିଲା । ହେଲେ ଗଣଶିକ୍ଷା ମନ୍ତ୍ରୀ କିନ୍ତୁ ସେଭଳି କୌଣସି ନିଷ୍ପତ୍ତି ହୋଇନଥିବା ସୂଚନା ଦେଇଛନ୍ତି । ଏଥିସହିତ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ସହିତ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଗଣଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।