୯ବର୍ଷ ପରେ ମା’ କୋଳକୁ ଫେରିଲା ପୁଅ : ବାଙ୍ଗାଲୋରରେ ହଜିଥିବା ପୁଅକୁ କଟକରେ ପାଇଲେ ; ପୁଅକୁ ପାଇ ପରିବାରରେ ଖୁସିର ଲହରୀ 

189

କନକ ବ୍ୟୁରୋ : ମା କୋଳକୁ ଫେରିଲା ପୁଅ । ୯ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଲା ମାଆ । ୧୧ ବର୍ଷ ବୟସରେ ବାଙ୍ଗାଲରରେ ହଜିଥିଲା ପୁଅ । ଆଉ ଏବେ ୨୦ ବର୍ଷ ବୟସରେ କଟକରେ ପୁଅକୁ ପାଇଲେ ପରିବାର ଲୋକେ । ସୂଚନା ମୁତାବକ ୨୦୧୧ ମସିହାରେ ଝାଡ଼ଖଣ୍ଡ ଘାବ୍ରା ଅଂଚଳରେ ରହୁଥିବା ମାନସିଂହ ହେମ୍ବ୍ରମ ତାଙ୍କ ବଡ଼ ଭାଇ ରହୁଥିବା କେନ୍ଦୁଝରକୁ ବୁଲି ଆସିଥିଲେ । ଏଠାରେ କିଛି ଦିନ ରହି ଘରକୁ ଫେରିଥିଲେ । ହେଲେ ଫେରିବା ସମୟରେ ଭୁଲ ବଶତଃ ଟ୍ରେନରେ ବେଙ୍ଗାଲୋରରେ ପହଂଚି ଯାଇଥିଲେ ।

ଏତେ କମ୍ ବୟସର ପିଲା ଏକା ବେଙ୍ଗାଲୋରରେ ବୁଲୁଥିବା ଦେଖି ସେଠକାର ପୋଲିସ ଉଦ୍ଧାର କରିବା ସହ ଘର ଠିକଣା ପଚାରିଥିଲେ । ପିଲାଟି ଠିକଣା ଓଡ଼ିଶା କହିବାରୁ ବେଙ୍ଗାଲୋର ପୋଲିସ କଟକ ସିଡ଼ବ୍ଲୁସି ସହ ଯୋଗାଯୋଗ କରି କଟକ ପଠାଇଥିଲେ । ତେବେ କଟକରେ ସିଡ଼ବ୍ଲୁସି ପିଲାଟିକୁ ଗ୍ରହଣ କରିବା ପରେ ଚୌଦ୍ୱାରା ସ୍ଥିତ ଏକ ଶିଶୁ ଗୃହରେ ରଖିଥିଲେ । ସେପଟେ ମାନସିଂହଙ୍କ ଭାଇ ସମ୍ପର୍କୀୟ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ ହେଲେ କୌଣସି ଖବର ପାଇ ନଥିଲେ ।

ପିଲାଟି ଶିଶୁ ଗୃହରେ ୯ ବର୍ଷ ରହିବା ପରେ ଘରକୁ ଯିବାକୁ କହିଥିଲା । ଏନେଇ ଝାଡ଼ଖଣ୍ଡ ପୋଲିସକୁ ଯୋଗାଯୋଗ କରାଯାଇଥିଲା । ଝାଡ଼ଖଣ୍ଡ ପୋଲିସ ତାଙ୍କ ପରିବାରକୁ ଯୋଗାଯୋଗ କରିବା ପରେ ମାନସିଂହ କଟକରେ ଥିବା ଜାଣିବାକୁ ପାଇଥିଲେ । ହଜିଲା ପୁଅକୁ ଘରକୁ ନେବା ପାଇଁ କଟକ ସିଡ଼ବ୍ଲୁସିରେ ପହଂଚିଥିଲେ ମାନସିଂହଙ୍କ ଭାଇ ଏବଂ ମାଆ । ହଜିଲା ପୁଅକୁ ପରିବାର ଲୋକେ ପାଖରେ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ।