ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା ନୂଆ ଏସଓପି ।

99

କନକ ବ୍ୟୁରୋ : ଯେଉଁ ଦିନଟିକୁ ଦୀର୍ଘ ୯ମାସ ଧରି ଭକ୍ତମାନେ ଅପେକ୍ଷା କରି ରହିଥିଲେ ଆଜି ସେହି ମୁହୁର୍ତ ଆସିଛି । ଖୋଲିଛି ପୁରୀ ଶ୍ରୀମନ୍ଦିର । ମନର ଠାକୁରକୁ ଦର୍ଶନ କରିଛନ୍ତି ଭକ୍ତ । ପୁରୀରେ ପ୍ରବଳ ଥଣ୍ଡା ସତ୍ୱେ ଭୋର ୪ଟା ୫୦ ମିନିଟରେ ଫିଟିଥିଲା ଶ୍ରୀମନ୍ଦିର ଦୁଆର । ପରେ ପରେ ସେବାୟତ ପରିବାରର ସଦସ୍ୟ ମୁହଁରେ ମାସ୍କ ପିନ୍ଧି ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇଥିଲେ ।

୨୩,୨୪,୨୫ ତିନିଦିନ ଧରି ପୁରୀ ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରଲୋକଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ୨୨ଶହ ସବାୟତଙ୍କ ପରିବାରର ପ୍ରାୟ ୧୦ ହଜାର ସଦସ୍ୟ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିଦିନ ଦର୍ଶନ ବ୍ୟବସ୍ଥାରେ ରହିଥିବା ତ୍ରୁଟିର ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ପୁରୀବାସୀ ଦର୍ଶନ କରିବେ । ୩ ତାରିଖ ଠାରୁ ପୁରୀ ବାହାର ଲୋକ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛିି । ୱାର୍ଡୱାରୀ ପୁରୀ ବାସିନ୍ଦା ୩ଟି ପର୍ଯ୍ୟାୟରେ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଗୋଟିଏ ୱାର୍ଡ ପାଇଁ ମାତ୍ର ୪ଘଂଟା ସମୟ ଧାର୍ଯ୍ୟ ହୋଇଛି । ପୁରୀ ବାହାରର ଲୋକଙ୍କ ପାଇଁ କୋଭିଡ-୧୯ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।