କନକ ବ୍ୟୁରୋ : ଅନୁଗୁଳ ପୌରପାଳିକାର ଅନ୍ଧାରୀ କାରସାଦି ଏବେ ସାମ୍ନାକୁ ଆସିଛି । ରାତି ଅଧିଆ ଗାଏବ ହୋଇଯାଇଛି ମାଳତୀ ଦେବୀଙ୍କ ସମେତ ୯ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ବିକୃତ ଘଟଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ଅନୁଗୁଳ ପୌରପାଳିକା ନବକୃଷ୍ଣ ଚୌଧୁରୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ଉଠାଇ ନେଇଥିଲା ।

Advertisment

ମାଳତୀ ଦେବୀଙ୍କ ସହ ଅନ୍ୟ ୯ଜଣ ସ୍ୱାଧିନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କରେ ସ୍ଥାନିତ କରାଯାଇଥିଲା । ହେଲେ ରାତାରାତି ମାଳତୀ ଦେବୀଙ୍କ ସହ ୯ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଗାଏବ କରି ଦିଆଯାଇଛି । ଗତ ଉତ୍କଳ ଦିବସରେ ଗୋପବନ୍ଧୁ ପାର୍କରେ ଅନୁଗୁଳ ପୌରପାଳିକା ୧୧ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ, ହୃଷୀକେଶ ପ୍ରଧାନ, ହୃଷୀକେଶ ତ୍ରିପାଠୀ, ଦିବାକର ପ୍ରଧାନ, କୃତ୍ତିବାସ ରଥ, ବ୍ରଜସୁନ୍ଦର ଦାସଙ୍କ ସମେତ ୧୧ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ପାର୍କରେ ସ୍ଥାପିତ ହୋଇଥିଲା ।

ଏହା ପରେ ପରେ ଆରମ୍ଭ ହୋଇଯାଇଥିଲା ବାଦ ବିବାଦ । ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କୁ ବିଲାତି ବାବୁ ପରି ଫୁଲ୍ ସାର୍ଟ, ପ୍ୟାଂଟ ଓ ବୁଟ୍ ପିନ୍ଧାଯାଇଥିଲା । ଏହାକୁ ନେଇ ସମାଲୋଚନା ବଢିବା ପରେ ନବକୃଷ୍ଣ ଚୌଧୁରୀ ଏବଂ ପବିତ୍ର ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇଥିଲା । କିନ୍ତୁ ପାର୍କରେ ଥିବା ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ଘୋଡାଇ ଦିଆଯାଇଥିଲା । ଶେଷରେ ପୌର ପ୍ରଶାସନ ରାତି ଅଧିଆ ଗୋପବନ୍ଧୁ ପାର୍କରୁ ସବୁ ମୂର୍ତ୍ତିକୁ କାଟି ନେଇଛି । ପାର୍କର ପେଣ୍ଡାଲ ଥିବା ବେଳେ ସବୁ ମୂର୍ତ୍ତି ଗାଏବ ହୋଇଯାଇଛି ।