ଆଜି ଆଉ ୯ ଜୀବନ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ ୪, ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ; ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି

212

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ମହାମାରୀ । ଦିନ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପ୍ଧମଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଆଜି ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ରହିଛି । ଗତ ୨୪ ଘଂଟା ଭିତରେ ସାରା ରାଜ୍ୟରେ ୧୮୭୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କୋଭିଡ-୧୯ ଭୁତାଣୁ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୬୭୨ରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି ପାଇଛି ।

ତେବେ କରୋନା ମହାମାରୀରେ ଆଜି ଜୀବନ ହାରିଥିବା ୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ହୋଇଥିବା ବେଳେ ରାୟଗଡାରୁ ୨, ଖୋର୍ଧା, ଅନୁଗୁଳ ଏବଂ ବାଲେଶ୍ୱରରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ, ଆଜି ୧୮୭୬ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୭୬ଟି ମାମଲା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ମଧ୍ୟରୁ ୬୯୪ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୮୨ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି । ଆଜି ପୁଣି ନୂତନ ସଂକ୍ରମଣ ମାମଲାରେ ଗଞ୍ଜାମକୁ ପଛରେ ପକାଇ ଦେଇଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ୨୯୭ଟି, ଗଞ୍ଜାମରୁ ୨୬୦ଟି, ସୁନ୍ଦରଗଡ଼ରୁ ୧୧୯ ଟି ମାମଲା ଚିହ୍ନଟ ହୋଇଛି । ସେହିପରି କଟକରୁ ୧୦୯ଟି, ନୟାଗଡ଼ରୁ ୧୦୫ଟି, ରାୟଗଡ଼ାରୁ ୯୮ଟି ମାମଲା ଚିହ୍ନଟ ହୋଇଛି । ସେହିପରି କୋରାପୁଟରୁ ୭୭ଟି, ଗଜପତିରୁ ୭୧ଟି ଓ ମୟୁରଭଞ୍ଜରୁ ୭୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।