କନକ ବ୍ୟୁରୋ: ଶାସକ ବିଜେଡିର ବିଭିନ୍ନ ଗଡ଼କୁ କବଜା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ପ୍ରମୂଖ ବିରୋଧୀ ବିଜେପି ଓ କଂଗ୍ରେସ । ତେଣୁ ଶାସକ ବିଜେଡି କବଜାରେ ଥିବା ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ନିମାପଡା ଆସନକୁ ଦଖଲ କରିବା ପାଇଁ ଚାଲିଛି ବଳ କଷାକଷି । ଦୁଇଟି ନିର୍ବାଚନ ପୂର୍ବରୁ କଂଗ୍ରେସର ଗଡ଼ ବୋଲାଉଥିବା ଏହି ନିର୍ବାଚନ ମଣ୍ଡଳୀରେ ପୁଣି ନିଜର ଅଭିଜାତ୍ୟ ବିସ୍ତାର କରିବାକୁ ପ୍ରୟାସ କରୁଛି କଂଗ୍ରେସ । ସେପଟେ ବିଜେପି ମଧ୍ୟ ବିଜେଡି ଓ କଂଗ୍ରେସକୁ ମାତ୍ ଦେଇ ଗେରୁଆ ରଙ୍ଗରେ ନିମାପଡ଼ାକୁ ରଙ୍ଗୀନ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ପଦ୍ମ ଶିବିରରେ ଚର୍ଚ୍ଚା ହେଉଛି ।
ପୂର୍ବରୁ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା । ଗତ ୨୦୦୦ରୁ ୨୦୧୪ ଚାରିଟି ବିଧାନସଭା ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ ଏଠାରେ ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗତ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଆସନ ବୁଝାମଣାରେ ନିମାପଡା ସଂରକ୍ଷିତ ଆସନ ବିଜେପିକୁ ମିଳିଥିଲା । ବିଜେପି ନେତା ବାଇଧର ମଲ୍ଲିକ ଗତ ୨୦୦୦ ଓ ୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ଦ୍ୱାରା ଏହି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲା । ଏହାସହ ବିଜେପି-ବିଜେଡି ମେଣ୍ଟ ଭାଂଗିବା ପରେ ଗତ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ସମୀର ରଂଜନ ଦାଶ ଏଠାରେ ନିଜର ଦବଦବା ଜାରି ରଖିଛନ୍ତି ।
ଗତ ୨୦୧୪ ନିର୍ବାଚନରେ ସମୀର ମୋଟ୍ ୮୬୯୫୮ ଭୋଟ୍ ପାଇ ଦ୍ୱିତୀୟଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ସେପଟେ ଶାସକ ବିଜେଡି ଦଳ ବର୍ତ୍ତମାନର ବିଧାୟକ ତଥା ମୁଖପାତ୍ର ସମୀର ରଂଜନ ଦାଶଙ୍କୁ ଭରସା କରିଛନ୍ତି । ଏପରିକି ସମୀରଙ୍କ ବ୍ୟତୀତ ନିମାପଡ଼ାରୁ ଏଯାବତ୍ ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାଁ ବିଜେଡି ଶିବିରରୁ ଶୁଣିବାକୁ ମିଳୁନଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏବେ ଦେଖିବାର କଥା ନିର୍ବାଚନ ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜେଡି ସୁପ୍ରିମୋ ଅନ୍ୟ କିଛି ଗୋଟିଚାଳନା କରିବେ ନାହିଁ ତ?
ସେହିଭଳି ୨୦୧୪ରେ ସାରା ଦେଶରେ ମୋଦି ଲହର ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡା ୫୭ ହଜାରରୁ ଅଧିକ ଭୋଟ ପାଇ ବିଜେଡି ପ୍ରାର୍ଥୀ ସମୀର ଦାଶଙ୍କ ଠାରୁ ପରାଜିତ ହୋଇଥିଲେ । ଏବଂ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ବିଜେପି ମଧ୍ୟ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡାଙ୍କୁ ସାମ୍ନାରେ ରଖି ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ଗେରୁଆ କ୍ୟାମ୍ପରେ ଚର୍ଚ୍ଚା ହେଉଛି ।
ଅନ୍ୟପଟେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଶ୍ବରଂଜଜ ମହାନ୍ତି ୨୦ ହଜାର ୭୪୮ ଖଣ୍ଡ ଭୋଟ ପାଇଥିଲେ । ହେଲେ ବିଶ୍ବରଂଜନ ଏବେ ଏଆଇସିସିର ଗୁରୁତ୍ବପୂର୍ଣ୍ଣ ପଦବିରେ ଥାଇ ଗୁଜୁରାଟ ଦାୟିତ୍ବରେ ଥିବାରୁ ସେ ନିମାପଡାରୁ ପ୍ରାର୍ଥୀ ହେବା ସମ୍ଭାବନା ଖୁବ୍ କମ୍ ରହିଛି । ତେଣୁ ଗତ ୨୦୦୯ରେ ପ୍ରାର୍ଥୀ ହୋଇ ୪୧,୬୦୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା କଂଗ୍ରେସ ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ର ନିମାପଡାରୁ ଏକମାତ୍ର ଦାବିଦାର ରହିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡଙ୍କ ଭରସା ଜିତିବା ପାଇଁ ସେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ସମ୍ପର୍କ ବଢ଼ାଉଥିବା ଦେଖିବାକୁ ମିଳୁଛି ।