ନିମାପଡାର ଅପରାଜିତା ନେତ୍ରୀ । ଦୀର୍ଘ ୩୦ ବର୍ଷର ରାଜନୀତିରେ କୁୁଞ୍ଜ ଅପା ।

203

କନକ ବ୍ୟୁରୋ: ମୋ ପାଖରେ ନା ଅଛି ଅର୍ଥ ବଳ ନା ଲୋକ ବଳ । ତଥାପି ମୁଁ ନିର୍ବାଚନ ଲଢିବି । ଆଉ ବିପୁଳ ସଂଖ୍ୟାରେ ଭୋଟ ପାଇ ଜିତିବି । ଆଉ ଲୋକଙ୍କ ସେବା କରିବି । ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ ୧୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା କୁଂଜଲତା ସାମଲ ।

ଆଗକୁ ପଛକୁ କେହି ନାହିଁ । ପାଖରେ ନା ଅର୍ଥ ଅଛି ନା ପ୍ରଚାର ପାଇଁ ଗାଡି ଘୋଡା ଅଛି । ତଥାପି ମନରେ ତାଙ୍କର ଦୃଢ ବିଶ୍ୱାସ । ଏଥର ବି ନିର୍ବାଚନ ଲଢିବେ ଆଉ ଜିତିବେ । ରାଜନୀତିରେ ତାଙ୍କର ନିଷ୍ଠା, ଓ ଦୀର୍ଘ ଦିନର ନିସ୍ୱାର୍ଥପର ଲୋକ ସେବା ହିଁ ତାଙ୍କୁ ବିଜୟୀ କରିବ । ଜୀବନର ସାୟାହ୍ନରେ ବି ଏପରି ଟାଣପଣ କରି ପୁଣି ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ନିମାପଡା ବ୍ଲକ ୧୯ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା କୁଂଜଲତା ସାମଲ ।

କୁଂଜ ଅପାଙ୍କର ଏହି ରାଜନୀତି ଏବେକାର ନୁହେଁ ବରଂ ଦୀର୍ଘ ୩୦ ବର୍ଷର । ପୂର୍ବତନ ତଥା ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଖୁବ୍ କମ୍ ବୟସରେ ରାଜନୀତିରେ ପାଦ ଥାପିଥିଲେ କୁଂଜ ଅପା । ୧୯୯୨ ମସିହାରେ ପ୍ରଥମ କରି ଜନତା ଦଳରୁ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇ ନିମାପଡା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହାସହ ୫ଥର ଜିଲ୍ଲା ପରିଷଦ ଭାବେ ବିଜୟୀ ହୋଇସାରିଛନ୍ତି । ଏବେ ଜୀବନର ସାୟାହ୍ନରେ ବି ଥମିନି ତାଙ୍କ ରାଜନୀତି ଯୋଶ୍ । କାରଣ ରାଜନୀତି ତାଙ୍କ ପାଇଁ ରାଜନୀତି ନୁହେଁ ବରଂ ସେବାର ମାଧ୍ୟମ । ତେଣୁ ଦେହେରେ ବଳ ଥିବା ଯାଏଁ ରାଜନୀତି କରିବେ ଏବଂ ଲୋକଙ୍କ ସେବା କରିବାକୁ ପଣ କରିଛନ୍ତି କୁଞ୍ଜ ଅପା ।

ନିଜ ରାଜନୀତିର ଏନ୍ତୁଡିଶାଳ ଥିବା ୨୧ ନମ୍ବର ଜୋନ ପାଇଁ ସିନା ଟିକେଟ ମିଳିଲାନି ହେଲେ ଏବେ ଯେଉଁ ସ୍ଥାନ ମିଳିଛି ସେଠି ବି ବିଜୟ ପତାକା ଉଡାଇବାକୁ ଦୃଢ ବିଶ୍ୱାସ ରଖିଛନ୍ତି କୁଞ୍ଜ ଅପା ।