କନକ ବ୍ୟୁରୋ: ବିଜେପିରେ ମିଶିଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଆଜି ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଦଳ ସଭାପତିଙ୍କୁ ଦେଇଥିଲେ ଇସ୍ତଫା ପତ୍ର । ପ୍ରାଥମିକ ସଦସ୍ୟ ପଦରୁ ଦେଇଥିଲେ ଇସ୍ତଫା । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ ।

Advertisment

ସମୀର କହିଥିଲେ, ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି । ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ଆଉ ଦଳରେ ରହିବାକୁ ସେ ସମୀଚିନ ମନେ କରୁନାହାଁନ୍ତି ବରଂ ଦଳ ଛାଡିବାକୁ ଉଚିତ ମନେ କରିଛନ୍ତି । ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି ।

ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା । ଏଡାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପୁନର୍ବିଚାର ପାଇଁ ଦଳକୁ ଏପ୍ରିଲ ୩୦ ଯାଏଁ ସମୟ ଦେଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ବି ଦଳ କିଛି ପଦକ୍ଷେପ ନନେବାରୁ ସେ ନିଜ ଅଞ୍ଚଳରେ ସଭା କରିବା ସହ ନିଜ ସମର୍ଥକଙ୍କ ସହ ଦଳ ଛାଡିବାକୁ ଘୋଷଣା କରିଥିଲେ । ଆଜି ବିଜେଡି ଛାଡିବେ ପରେ ବିଜେପିରେ ଯୋଗ ଦେଇଛନ୍ତି ସମୀର ଦାଶ ।