କନକ ବ୍ୟୁରୋ: ଶିଳାନ୍ୟାସ କରିବାକୁ ଆସି ହଟହଟା ହେଲେ ବିଧାୟକ । ଗ୍ରାମବାସୀ ବିଧାୟକ ସମୀର ଦାଶଙ୍କୁ ବିରୋଧ କରିବା ସହ ତାଙ୍କ ପିଏସଓଙ୍କୁ ଆକ୍ରମଣ କରିଛନ୍ତି । ଫଳରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଂଚାୟତ ଚକରୋଡ ଗାଁରେ ରାସ୍ତା ନିର୍ମାଣ ଶିଳାନ୍ୟାସ ନକରି ଫେରିଗଲେ ନିମାପଡା ବିଧାୟକ ତଥା ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଯେଉଁ ସ୍ଥାନରେ ରାସ୍ତା ହେବା କଥା, ସେହି ସ୍ଥାନରେ ନକରି ବିଧାୟକ ନିଜ ଇଚ୍ଛାରେ ଅନାବଶ୍ୟକୀୟ ସ୍ଥାନରେ ରାସ୍ତା କରିବା ପାଇଁ ଶିଳାନ୍ୟାସ କରିବାକୁ ଆସିଥିଲେ । ତେଣୁ ତାଙ୍କୁ ବିରୋଧ କରାଯାଇଛି ।

Advertisment

ଦୀର୍ଘ ଦିନ ହେଲା ଚାରିଛକ ଗୋପ ମୁଖ୍ୟ ରାସ୍ତାରୁ ଚକରୋଡା ଗାଁକୁ ଭଲ ରାସ୍ତା ନଥିଲା । ରାସ୍ତା ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ପରେ ଦୁଇଟି ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଛି । ୧୦ ଲକ୍ଷ ଟଙ୍କାରେ ପ୍ରଥମ ପର୍ଯ୍ୟାୟରେ ଚାରିଛକ ଗୋପ ରାସ୍ତାର ଅଧାକାମ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ କାମ ଅଧାରୁ ନକରି ଗାଁର ଶେଷ ମୁଣ୍ଡରେ କରିବାକୁ ବିଧାୟକ କହିଛନ୍ତି । ସେଥିପାଇଁ ଆଜି ଶିଳାନ୍ୟାସ କରିବାକୁ ଆସିଥିବା ବେଳେ ବିଧାୟକଙ୍କୁ ବିରୋଧ କରିଛନ୍ତି ଗ୍ରାମବାସୀ । ଯେଉଁଠି ରାସ୍ତାକାମ ଅଟକି ସେଇଠୁ ଆରମ୍ଭ କରିବା ପାଇଁ ଲୋକେ ଦାବି କରିଛନ୍ତି ।