ଚାଷ କରି ଆତ୍ମନିର୍ଭର ହୋଇଛନ୍ତି ନିମାପଡ଼ାର ନିଧି ସ୍ୱାଇଁ । କୋବି ଚାଷୀ ଭାବେ ରହିଛି ଖ୍ୟାତି ।

100

କନକ ବ୍ୟୁରୋ : ଚାଷ ପାଇଁ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ନଦାତା ସାଜିଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଜଣେ ସଫଳ ଚାଷୀ । ଚାଷ ଯୋଗୁଁ ସିଏ ଆଜି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସଫଳ ଚାଷୀ ଜଣଙ୍କ ହେଉଛନ୍ତି ନିମାପଡ଼ା ବ୍ଲକ ଅଧିନ ଉଛୁପୁର ପଂଚାୟତ ଅନ୍ତର୍ଗତ ନରୁଡ଼ା ଗାଁର ନିଧି ସ୍ୱାଇଁ । ପରିଣତ ବୟସରେ ଏବେ ଚାଷ କରିବା ସହିତ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା । ବିଭିନ୍ନ ସମୟରେ କାକୁଡ଼ି, ପୋଟଳ, ବାଇଗଣ ଚାଷ କରୁଥିଲେ ମଧ୍ୟ କୋବି ଚାଷୀ ହିସାବରେ ତାଙ୍କର ଖ୍ୟାତି ରହିଛି । ନିଧି ସ୍ୱାଇଁ ଉତ୍ପାଦିତ ପନିପରିବାକୁ ରାଜ୍ୟରେ କୋଣ ଅନୁକୋଣରେ ପହଂଚାଇ ଆଜି ଜଣେ ସଫଳ ଚାଷୀ ହୋଇପାରିଛନ୍ତି ।

ଚାଷ ପ୍ରତି ଆଜିକାଲି ଉତ୍ସାହ କମିବାରେ ଲାଗିଛି । କଠିନ ପରିଶ୍ରମ, ପ୍ରତିକୂଳ ପାଗ ଏବଂ ଲାଭ କମ ହେଉଥିବାରୁ କିଛି କ୍ଷେତ୍ରରେ ଚାଷ ପ୍ରତି ସେତେଟା ଆଗ୍ରହ ଦେଖିବାକୁ ମିଳୁନି । ମାତ୍ର ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଚାଷ କରିବା ଦ୍ୱାରା ସଫଳତା ପାଇହେବ ତାହା ପ୍ରମାଣିତ କରି ଦେଖାଇଛନ୍ତି ନିଧି ସ୍ୱାଇଁ । ନିଜ ପରିଶ୍ରମ ପାଇଁ ଆଜି ସେ ଜଣେ ସଫଳ କୋବୀ ଚାଷୀର ମାନ୍ୟତା ପାଇଛନ୍ତି । ପ୍ରତିବର୍ଷ ୪ଏକର ଜମିରେ କୋବି ଚାଷ କରି ୪ରୁ୫ଲକ୍ଷ ଟଙ୍କା ଲାଭ ପାଇପାରୁଛନ୍ତି । ଏବଂ ଏହି ଚାଷରେ ନିଧିଙ୍କୁ ସାହାଯ୍ୟ କରୁଛନ୍ତି ତାଙ୍କ ପୁଅ ।

କେବଳ ନିଜେ ଚାଷକରି ସଫଳତା ପାଇଛନ୍ତି ନିଧି ତା ନୁହେଁ ବରଂ ୧୦ଟି ପରିବାର ପାଇଁ ରୋଜଗାରର ବାଟ ମଧ୍ୟ ସୃଷ୍ଟି କରିଛନ୍ତି । ବର୍ଷତମାମ ପନିପରିବା ଚାଷ ହେଉଥିବାରୁ ୧୦ଟି ପରିବାର କାର୍ଯ୍ୟକରି ବେଶ ଭଲ ଦୁଇପଇସା ରୋଜଗାର କରିବା ସହିତ ନିଜ ପରିବାରର ଭରଣ ପୋଷଣ କରିପାରୁଛନ୍ତି ।

ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା । ପରିଣତ ବୟସରେ ନିଧି ସ୍ୱାଇଁ ଖରାତରାରେ ଜମିରେ ଚାଷ କରି ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ । ଚାଷରେ କ୍ଷତି ହୁଏନି ବରଂ ଲାଭ ହୁଏ ବୋଲି ତାହା ପ୍ରମାଣ କରିଦେଖାଇଛନ୍ତି ନିମାପଡାର ନିଧି ସ୍ୱାଇଁ ।