କନକ ବ୍ୟୁରୋ : ଭୁବନେଶ୍ୱର ପରେ ପୁରୀରେ ଲୋକାର୍ପିତ ହେଲା ନିୟନ୍ତ୍ରଣ । ଭୁବନେଶ୍ୱରରେ ଗ୍ରାହକ ଓ ପର୍ଯ୍ୟଟକଙ୍କ ବିଶ୍ୱାସ ଜିତି ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସୁଥିବା ଓଟିଡିସି ପକ୍ଷରୁ ନିର୍ମିତ ରେଷ୍ଟୁରାଣ୍ଟ  ‘ନିମନ୍ତ୍ରଣ' ଆଜି ପୁରୀରେ ମଧ୍ୟ ଲୋକାର୍ପିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଲୋକାର୍ପଣ କରିଛନ୍ତି। ଗତ ସେପ୍ଟମ୍ବର ମାସ ୩ ତାରିଖରେ ଭୁବନେଶ୍ଵରରେ 'ନିମନ୍ତ୍ରଣ'  ଉଦଘାଟିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ଏହି 'ନିମନ୍ତ୍ରଣ' ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ଥିଲା ଗ୍ରାହକ ଓ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରଷିଦେବା।

Advertisment

'ନିମନ୍ତ୍ରଣ' ଆରମ୍ଭ ହେବା ଦିନଠାରୁ ହିଁ ଉତ୍ତମ ଖାଦ୍ୟ ଓ ସେବା ପ୍ରଦାନ କରି ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଥିବା ବେଳେ ବ୍ୟବସାୟିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ସଫଳତା ହାସଲ କରିପାରିଛି। 'ନିମନ୍ତ୍ରଣ' ବିଗତ ତିନି ମାସ ମଧ୍ୟରେ ପାଖାପାଖି ୭୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ବେଳେ , ମାସିକ ହାରାହାରି ୨୦ ଲକ୍ଷ ଟଙ୍କା ଲାଭ କରିଛି। କେବଳ ସେତିକି ନୁହଁ ଭୁବନେଶ୍ବର ସ୍ଥିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ସମେତ ଭିତରକନିକା, ହ୍ୱାଇଟ କ୍ରାବ୍, ଚନ୍ଦ୍ରଭାଗା ଓ କଟକର ସିଲଭର ସିଟି ବୋଟ୍ କ୍ଲବ୍ ରେ ପାଖାପାଖି ୭୫ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଓ ୫୦୦ ରୁ ଅଧିକ ପରୋକ୍ଷ ନିଯୁକ୍ତି ଦେବା ସହ ଓଟିଡିସି ରାଜ୍ୟରେ ଏକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ଭୁବନେଶ୍ଵରରେ ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଲୋକାର୍ପଣ ସମୟରେ ଖୁବ୍ ଶୀଘ୍ର ପୁରୀ ଓ ସମ୍ବଲପୁରରେ ମଧ୍ୟ ନିମନ୍ତ୍ରଣ ଆରମ୍ଭ କରିବାକୁ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ, ଯାହା ଆଜି ପୂରଣ ହୋଇଛି ।  କେବଳ ନିମନ୍ତ୍ରଣ ନୁହଁ ପାରମ୍ପରିକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ଓଟିଡିସି ପକ୍ଷରୁ ଗତବର୍ଷ ଭଳି ଏବର୍ଷ ମଧ୍ୟ 'ଆମ ଘର ଆମ ହାଣ୍ଡିଶାଳ' ର ପରବର୍ତ୍ତୀ ସଂସ୍କରଣ ର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି ।