କନକ ବ୍ୟୁରୋ; ସାମ୍ବାଦିକଙ୍କୁ ଏଭଳି ବେଡ଼ି ପକାଇବା ପଛରେ ଆଉ ଏକ କାରଣ ସାମ୍ନାକୁ ଆସିଛି । ତିନି ଦିନ ପୂର୍ବରୁ ବଜାରରେ ହୋମଗାର୍ଡ ଓ ସାମ୍ବାଦିକଙ୍କ ମଧ୍ୟରେ ସାମାନ୍ୟ ବଚସାରୁ କେବଳ ଏହି ଘଟଣା ଘଟିନାହିଁ । ବେଶ୍ କିଛି ଦିନ ଧରି ନୀଳଗିରି ଅଂଚଳକୁ ଧଳା ଜହରର କାରବାର ଅର୍ଥାତ୍ ବ୍ରାଉନ୍ ସୁଗାର କେଉଁଠୁ ଆସୁଛି, ତାକୁ ନେଇ ଅନୁସନ୍ଧାନ କରୁଥିଲେ ସାମ୍ବାଦିକ ଲୋକନାଥ ଦଳେଇ । ଏବଂ ଏହା ବିଭିନ୍ନ ସମୟରେ ରିପୋର୍ଟ ମଧ୍ୟ କରିଥିଲେ । ଏହାକୁ ନେଇ ନୀଳଗିରି ଆଇଆଇସି ଦୌପଦୀ ଦାସ ସାମ୍ବାଦିକଙ୍କ ଉପରେ କ୍ଷୁବ୍ଧ ଥିଲେ । କାରଣ ବ୍ରାଉନ୍ ସୁଗର ବେପାରୀ ଓ ପୋଲିସ୍ ମଧ୍ୟରେ ସଲାସୁତୁରା ନେଇ କିଛି ପ୍ରମାଣ ପାଇଥିଲେ ସାମ୍ବାଦିକ ଲୋକନାଥ ଦଳେଇ ।
ଯେଉଁଥିପାଇଁ ଆଇଆଇସିଙ୍କ ଟାର୍ଗେଟରେ ଥିଲେ କନକ ନ୍ୟୁଜ-ସମ୍ବାଦର ସାମ୍ବାଦିକ ଲୋକନାଥ ଦଳେଇ । ଅଭିଯୋଗ ଅନୁସାରେ ବଜାରରେ ସେଦିନ ହୋମଗାର୍ଡ ଓ ଲୋକନାଥଙ୍କ ମଧ୍ୟ ବଚସାରୁ ଫାଇଦା ନେବାକୁ ଚେଷ୍ଟା କରିଛନ୍ତି ଆଇଆଇସି । ଏବଂ ସାମ୍ବାଦିକଙ୍କୁ ପାନେ ଦେବାପାଇଁ ତାଙ୍କ ଗୋଡ଼ରେ ବେଡ଼ି ପକାଇବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।