କନକ ବ୍ୟୁରୋ: ଖାକି କେମିତି ଦାଦାଗିରି କରେ, ବର୍ଦ୍ଦି ତଳେ କେମିତି ପୋଲିସ୍ ବାବୁ ସବୁସୀମା ଟପି ଯାଆନ୍ତି ତାହାର ଏକ ନଗ୍ନ ନମୁନା ବାଲେଶ୍ୱରରୁ ଆସିଛି । ନୀଳଗିରିରେ ଅଭାବନୀୟ ଘଟଣା ଘଟିଛି । ସବୁ ସୀମା ଟପିଯାଇଛି ନୀଳଗିରି ପୋଲିସ । କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ଆକ୍ରମଣ କରି ଗୋଡରେ ବେଡ଼ି ପକାଇ ଦେଇଛି ପୋଲିସ । ବାଲେଶ୍ୱର ହସ୍ପିଟାଲରେ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ପାଦରେ ବେଡି ପକାଇ ରଖିବା ଦୃଶ୍ୟ ପୋଲିସର ଆଇନ୍ କାନୁନ୍ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।
ଆପଣ କଳ୍ପନା କରିପାରିବେ ନାହିଁ ପୋଲିସ ଏହି ସୀମା ଯାଏଁ ଯିବ କେମିତି? ଘଟଣାଟି ଥିଲା ଏହି ଭଳି । ତିନି ଦିନ ଆଗରୁ ନୀଳଗିରି ବଜାରରେ ସାମ୍ବାଦିକ ଲୋକନାଥ ଦଳାଇ ଓ ନୀଳଗିରି ଥାନାର ଜଣେ ହୋମଗାର୍ଡଙ୍କ ଗାଡି ମଧ୍ୟରେ ଧକ୍କା ହୋଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତା ପରେ ମାମଲା ଥଣ୍ଡା ହୋଇଯାଇଥିଲା କିନ୍ତୁ ହଠାତ୍ ଗତକାଲି ନୀଳଗିରି ପୋଲିସ ଆସି ତାଙ୍କୁ ଗିରଫ କରି ଉଠାଇ ନେଇଯାଇଥିଲେ ।
ଏହା ପରେ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ତାଙ୍କୁ ଏକ ଧକ୍କା ମାରିଥିଲେ ।ଏଥିରେ ସାମ୍ବାଦିକ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ଅଂଟାରେ ଆଘାତ ଲାଗିଥିଲା । ତାଙ୍କୁ ଏବେ ହସ୍ପିଟାଲରେ ଭର୍ତି କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇବାକୁ ପୋଲିସ ସାହାସ କଲା କିପରି ।
- ସବୁ ସୀମା ଟପିଗଲା ନୀଳଗିରି ପୋଲିସ
- ହସ୍ପିଟାଲ ବେଡରେ ସାମ୍ବାଦିକଙ୍କ ପାଦରେ ବାନ୍ଧିଲା ବେଡି
- ବ୍ୟକ୍ତିଗତ ରାଗ ସୁଝାଇବାକୁ ସାମ୍ବାଦିକଙ୍କୁ ଶାସ୍ତି
- କନକ ନ୍ୟୁଜ୍ ଓ ସମ୍ବାଦର ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନିର୍ଯାତନା
- ଡ୍ରଗ୍ସ କାରବାର ଖବର ଖୁଲାସା କରିବାରୁ ପୋଲିସର ଆକ୍ରୋଶ!
- ନୀଳଗିରି ହୋମଗାର୍ଡଙ୍କ ଗାଡ଼ି ସହ ଧକ୍କା ହୋଇଥିଲା ସାମ୍ବାଦିକଙ୍କ ଗାଡ଼ି
- ଘଟଣାସ୍ଥଳରେ ବୁଝାସୁଝା ହୋଇଥଲେ ବି ଗିରଫ କରିଥିଲା ପୋଲିସ
- ହସ୍ପିଟାଲ ବେଡ୍ରେ ପାଦରେ ହାତକଡ଼ି ପକାଇ ରଖିଛି ପୋଲିସ