ଜଳ ଯନ୍ତ୍ରଣାର ଚିତ୍ର: ନୀଳଗିରି ସଜନାଗଡ ମୁଣ୍ଡଘୁରିଆ ଗାଁରେ ପିଇବା ପାଣି ସସମ୍ୟା, କେନାଲରୁ ଦୂଷିତ ଗୋଳିଆ ପାଣି ପିଇ ରୋଗାକ୍ରାନ୍ତ ଲୋକେ

28

କନକ ବ୍ୟୁରୋ: ପିଇବାକୁ ପାଣି ମୁନ୍ଦାଏ ମିଳୁନି । ଅଭିଯୋଗ ବହୁବାର କରାଯାଇଛି । ରାଜରାସ୍ତାକୁ ବହୁବାର ଓହ୍ଲାଇଛନ୍ତି ଗ୍ରାମବାସୀ । ହେଲେ କୌଣସି ସମାଧାନ ହେଉନି । ନାଳର ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡିଛନ୍ତି ଲୋକମାନେ । ଏହି ଘଟଣା ହେଉଛି ବାଲେଶ୍ୱର ନୀଳଗିରି ସଜନାଗଡର ମୁଣ୍ଡଘୁରିଆ ଗାଁର ।

ଗାଁରେ ତିଆରି ହୋଇଛି ସୁଉଚ୍ଚ ପାଣି ଟାଙ୍କି । ଚାରିଆଡେ ବିଛା ଯାଇଛି ପାଣି ପାଇପ୍ ଆଉ ରହିଛି ଷ୍ଟାଣ୍ଡ ପୋଷ୍ଟ । ହେଲେ ଲୋକଙ୍କୁ ପାଣି ମୁନ୍ଦାଏ ବି ମିଳିପାରୁନି । ରାତି ପାହିଲେ ଗାଁର ଛୋଟରୁ ବଡ ସମେସ୍ତ ପାଖରେ ଥିବା କେନାଲରୁ ପାଣି ସଂଗ୍ରହ କରୁଛନ୍ତି । କେନାଲରେ ଥିବା ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି । କେନାଲ ଓ ଡ୍ୟାମରୁ ହାତୀଙ୍କ ପାଇଁ ପାଣିର ସୁବିିଧା କରାଯାଇଥିବା ବେଳେ ସେହି ଗୋଳିଆ ପାଣି ବାଧ୍ୟ ହୋଇ ଲୋକମାନେ ବ୍ୟବହାର କରୁଛନ୍ତି । ସମସ୍ୟା ନେଇ ବହୁବାର ଅଭିଯୋଗ କରିଥିଲେ ବି ଗାଁରେ ପାଣି ବ୍ୟବସ୍ଥା କରାଯାଇପାରିନି । ସେହିଭଳି ଗାଁର ଲୋକ ମାନେ ଭୋଟ ବର୍ଜନ କରିବାର ଚେତାବନୀ ଦେଇଥିଲେ ବି ଅବସ୍ଥା ପୂର୍ବବତ୍ ରହିଛି ।

ଗାଁରେ ତିନୋଟି ନଳକୂଅ ମଧ୍ୟ ରହିଛି । ହେଲେ ସବୁ ଅଚଳ ହୋଇପଡିଛି । ଯେଉଁ ଗୋଟିଏରୁ ପାଣି ବାହାରୁଛି ସେଠାରେ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ଗ୍ରମାବାସୀ । ବହୁବାର ଆନ୍ଦୋଳନ ହୋଇଛି । ଅଧିକାରୀ ପହଂଚି ସମାଧାନ ପ୍ରତିଶ୍ରୁତି ବି ଦେଇଛନ୍ତି । ହେଲେ ପାଣି ସୁବିଧା ହୋଇପାରୁନି । ଯାହାପାଇଁ ଲୋକେ ଭୋଟ୍ ବର୍ଜନ କରିବାକୁ ଲୋକେ ଚେତାବନୀ ଦେଇଛନ୍ତି । ପାଣି ସମସ୍ୟାର ସମାଧାନ ନକରିଲେ ଗ୍ରାମବାସୀ ଏକାଠି ହୋଇ ଭୋଟ୍ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି ।