କନକ ବ୍ୟୁରୋ : ନୀଳଗିରି ପୋଲିସର ବର୍ବରକାଣ୍ଡ । ସମ୍ବାଦ ଓ କନକ ନ୍ୟୁଜର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଧକ୍କା ମାରି ଆକ୍ରମଣ କରିବା ସହ ଗୋଡରେ ବେଡ଼ି ପକାଇ ଦେଇଛି ପୋଲିସ । ଚିକିତ୍ସା କରିବାକୁ ହସ୍ପିଟାଲକୁ ଆଣିଛି ସତ କିନ୍ତୁ ଗୋଡରେ ବେଡି ପକାଇ । ସତେ ଯେପରି ଲୋକନାଥ ଜଣେ ବଡ ଅପରାଧୀ ।

Advertisment

ତେବେ  ପୋଲିସର ଏଭଳି ବର୍ବରକାଣ୍ଡକୁ ନିନ୍ଦା କରିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ସେ କହିଛନ୍ତି, ନୀଳିଗିରି ପୋଲିସ ବ୍ରିଟିଶ ଶାସନ ଚଳାଇଛି । ଯେଉଁ ସାମ୍ବାଦିକଙ୍କୁ ଗିରଫ କରାଯାଇଛି ତାଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନାହିଁ । ତେଣୁ ସାମାନ୍ୟ ବଚସାକୁ ନେଇ ଗିରଫ କରିବା ଓ ଗୋଡରେ ବେଡି ପକାଇ ହସ୍ପିଟାଲରେ ଚିକିତ୍ସା କରିବା ନିନ୍ଦନୀୟ । ଏଭଳି ବ୍ୟବହାର ପୋଲିସ ଠାରୁ ଆଶା କରାଯାଏ ନାହିଁ । ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଆଦୌ ଗ୍ରହଣୀୟ ନୁହେଁ ।

ନୀଳଗିରି ପୋଲିସର କାର୍ଯ୍ୟ ଆଦୌ ଶୋଭନୀୟ ନୁହେଁ । ଏକଥା ପୂରା ନୀଳଗିରିବାସୀ ଜାଣିଛନ୍ତି । ଖାସକରି ଆଇଆଇସି ଦ୍ରୌପଦୀ ଦାସ ଅତି ରୁକ୍ଷ ବ୍ୟବହାର କରନ୍ତି । ଏକଥା ଆମେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ବାରମ୍ବାର କହିଛୁ । ଆଉ ଆଜି ଜଣେ ସାମ୍ବାଦିକ ଏହାର ଶିକାର ହୋଇଛନ୍ତି । ଯେଉଁଠି ସାଧାରଣ ଲୋକଙ୍କୁ ଏଭଳି ବ୍ୟବହାର କରାଯାଉଛି ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେଉଥିବା ତାହା ବେଶ ଅନୁମେୟ । ଅନ୍ୟପଟେ ଯଦି ଲୋକନାଥଙ୍କ ନାଁରେ ଅଭିଯୋଗ ଥିଲା ତେବେ ତଦନ୍ତ ହୋଇଥାନ୍ତା । ମୋ ଜାଣିବାରେ ଲୋକନାଥ ଜଣେ ସଚ୍ଚୋଟ ଓ ନିର୍ଭୀକ ସାମ୍ବାଦିକ । ଏଠାରେ ଧଳାଜହର ବିକ୍ରି ବଢିଛି, ମୋରମ ଚୋରି ହେଉଛି । ଯାହାର ଖବର ଲୋକନାଥ ପ୍ରସାରଣ କରିଥିଲେ । ସେଥିପାଇଁ ପୋଲିସ ଆକ୍ରୋଶର ଶିକାର ହେଲେ । ଯଦି ପୋଲିସ ଏଭଳି ଆଚରଣ କରେ ତେବେ ସାଧାରଣ ଲୋକ ନ୍ୟାୟ ପାଇବେ କିପରି? ନୀଳଗିରି ପୋଲିସର ଏଭଳି କାର୍ଯକୁ ନେଇ ବାଲେଶ୍ୱର ଏସପିଙ୍କୁ ଅବଗତ କରିଛୁ । ଆଗକୁ ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଜଣାଇବୁ । ନୀଳଗିରି ଆଇଆଇସିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏସପିଙ୍କ ନିକଟରେ ଦାବି କରିଛୁ ।