ଶଙ୍ଖ ଧରିଲେ ସୁକାନ୍ତ । ହଜାର ହଜାର ସମର୍ଥକଙ୍କ ଗହଣରେ ବିଜେଡିରେ ହେଲେ ସାମିଲ ।

912

କନକ ବ୍ୟୁରୋ : ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବା ସହ ବିଜେଡିକୁ ଘରବାହୁଡା କରିଛନ୍ତି ସୁକାନ୍ତ । ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ ।

ବିଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ୨୦୧୯ରେ ବିଜେଡି ଛାଡିଥିଲୁ । ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆମର ଘରବାହୁଡା ହୋଇଛି । ନୀଳଗିରିରେ ବିକାଶର ଧାରାକୁ ଆଗକୁ ନେବାକୁ ବିଜେଡିରେ ମିଶିଛି ।

ସୁକାନ୍ତ ବିଜେଡିରେ ଯୋଗଦେବା ସହ ପୁରୁଣା ଘରକୁ ବାହୁଡିଛନ୍ତି । ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ସୁକାନ୍ତ । ତେବେ ୨୦୧୯ରେ ସୁକାନ୍ତଙ୍କ ଟିକେଟ କାଟିଥିଲା ବିଜେଡି । ତେଣୁ ବିଜେପିରେ ଯୋଗ ଦେବା ସହ ଟିକେଟ ନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଘରବାହୁଡା କରିଛନ୍ତି ସୁକାନ୍ତ । ନୀଳଗିରିରୁ ପୁଣିଥରେ ସୁକାନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଆପାତଃତ ସ୍ଥିର କରିଛନ୍ତି । କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି । ଗତଥର ବାଲେଶ୍ୱର ଲୋକସଭା ଆସନ ବିଜେଡି ହାତଛଡା କରିଥିବାରୁ ୨୦୨୪ରେ ଏହି ଆସନକୁ ହାତେଇବାକୁ ସବୁ ଦିଗକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଅଙ୍କ କଷୁଥିବା କୁହାଯାଉଛି ।