ସବୁ ସୀମା ଟପିଗଲା ଓଡ଼ିଶା ପୁଲିସ । ସାମାନ୍ୟ ବଚସା ପାଇଁ ଡାକ୍ତରଖାନାରେ ସାମ୍ବାଦିକଙ୍କ ଗୋଡରେ ପକାଇଲା ବେଡି, କେଉଁଠୁ ସାହାସ ପାଇଲା ପୁଲିସ ?

230

କନକ ବ୍ୟୁରୋ : ସୀମା ଟପିଗଲା ଓଡ଼ିଶା ପୋଲିସ୍ । ବର୍ଦ୍ଦିର ବହପ ମୁଣ୍ଡକୁ ଏତେ ଚଢ଼ିଯାଇଥିଲା ଯେ, ଜଣେ କର୍ତବ୍ୟରତ ସାମ୍ବାଦିକଙ୍କ ସହ ପେଶାଦାର ଅପରାଧୀ ଭଳି ବ୍ୟବହାର କରାଯାଇଥିଲା । ସମ୍ବାଦ ଓ କନକ ନ୍ୟୁଜର ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିଥିବା ନୀଳଗିରି ପୋଲିସ୍ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିବା ବେଳେ ଗୋଡ଼ରେ ବେଡ଼ି ପକାଇ ରଖିଥିଲା । ଯାହାର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡ଼ୁ ଉଦବେଗ ପ୍ରକାଶ ପାଇଛି । କିଭଳି ଓ କାହା ସାହାସରେ ନୀଳଗିରି ଆଇଆଇସି ଏଭଳି ପଦକ୍ଷେପ ନେଲେ, ତାକୁ ନେଇ ବିବାଦ ତିଆରି ହୋଇଛି । ପୋଲିସ୍ ଡିଜିପି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଥିବା ବେଳେ କାହିଁକି ଆଇଆଇସିଙ୍କୁ ଉତରଦାୟୀ କରାଯାଇନାହିଁ ସେ ନେଇ ପ୍ରଶ୍ନ ଉଠିଛି ।

ବ୍ରିଟିଶ ପୁଲିସ ଭଳି ନୀଳଗିରି ପୁଲିସ । ସାମ୍ବାଦିକଙ୍କ ପାଦରେ ପକାଇଦେଲେ ବେଡି । ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ଥିବା ପୁଲିସ ଏଭଳି ଅତ୍ୟାଚାର ବି କରିପାରେ । ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଥିବା ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ବେଡି ପକାଇ ଦେବାକୁ ପଛାଇ ନାହିଁ ପୋଲିସ । ହସ୍ପିଟାଲରେ ତଳେ ଲୋକନାଥ ଶୋଇଛନ୍ତି ଏବଂ ପାଖରେ ଥିବା ଏକ ଖୁଂଟିରେ ତାଙ୍କ ଗୋଡକୁ ବାନ୍ଧି ଦିଆଯାଇଛି । ପାଖରେ ବନ୍ଧୁକଧାରୀ ପୁଲିସ ବାଲା ବି ଜଗି ବସିଛନ୍ତି । ସତରେ ଯେମିତି ବହୁ ଲୋକଙ୍କୁ ହତ୍ୟା କରିଥିବା ଜଣେ ଭୟଙ୍କର ଅପରାଧି । ପ୍ରକୃତରେ ସେ ହେଉଛନ୍ତି କନକ ନ୍ୟୁଜ ଓ ସମ୍ବାଦର ଜଣେ ସାଧାରଣ ସାମ୍ବାଦିକ । ଯିଏ ଖବର ସଂଗ୍ରହ କରନ୍ତି, ଏବଂ ଏହାକୁ ଲୋକଙ୍କ ପାଖରେ ପହଁଚାନ୍ତି ।

ଦ୍ରୌପଦୀ ଦାସ । ନୀଳଗିରି ଥାନାର ଆଇଆଇସି । ସାମ୍ବାଦିକଙ୍କ କହିବା ଅନୁସାରେ, ଏହି ଆଇଆଇସି ଜଣଙ୍କର ଏକ ସନ୍ଦେହପୂର୍ଣ୍ଣ କାରବାରକୁ ନେଇ ସେ ରିପୋର୍ଟ କରିଥିଲେ । ନୀଳଗିରିରେ ବ୍ରାଉନ ସୁଗାର ସପ୍ଲାଏ ସମ୍ପର୍କରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ସେହିଦିନୁ ସେ ମାଡାମଙ୍କ ଟାର୍ଗେଟରେ ଥିଲେ । ଆଉ ଗତ ତିନି ଦିନ ତଳେ ନୀଳଗିରି ବଜାରରେ ତାଙ୍କ ଗାଡି ସହ ଥାନାର ଜଣେ ହୋମଗାର୍ଡଙ୍କ ଗାଡି ଧକା ହେବା ପରେ, ଏହାକୁ ଏକ ସୁଯୋଗ ଭାବି ଏଭଳି କାଣ୍ଡ ଘଟାଇଛନ୍ତି । ପଚରାଉଚରା କରିବାକୁ ଥାନାକୁ ଡାକି ମୋବାଇଲ ଛଡାଇ ନେବା ସହ ମାଡ ମାରିଥିଲେ । ଏଥିରେ ସାମ୍ବାଦିକ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ଅଂଟାରେ ଆଘାତ ଲାଗିଥିଲା ଓ ଚିକିତ୍ସା ପାଇଁ ହସ୍ପିଟାଲରେ ର୍ଭ୍ତି ହୋଇଛନ୍ତି ।

ସବୁଠାରୁ ବଡ କଥା ହେଉଛି ସାମ୍ବାଦିକ ହୁଅନ୍ତୁ କି ଜଣେ ସାଧାରଣ ନାଗରିକ କାହାକୁ ଓ କେଉଁ ପରିସ୍ଥିତିରେ ହ୍ୟାଣ୍ଡକପ ପିନ୍ଧାଯିବ ସେଥିପାଇଁ ନିୟମ ରହିଛି । ସବୁ ପୁଲିସ କର୍ମଚାରୀଙ୍କୁ ଏଥିପାଇଁ ପ୍ରଶିକ୍ଷଣ ବି ଦିଆଯାଇଥାଏ । ପୁଲିସ ମାନୁଆଲରେ ବି ଲେଖାଯାଇଛି । ହେଲେ, ଆଶ୍ଚର୍ଯ୍ୟର କଥା ହେଉଛି, ଆଇଆଇସି ଦ୍ରୌପଦୀ ଦାସ ଏସବୁ ନିୟମକୁ ଯେମିତି ଗୋଡରେ ଦଳି ମକଚି ଦେଇଛନ୍ତି । ଆଉ ବ୍ରିଟିଶ ଅମଳର ପୁଲିସ ଭଳି ସବୁ ସୀମା ଟପି ଯାଇଛନ୍ତି ।

ପ୍ରଶ୍ନ ଉଠୁଛି,
– ହସ୍ପିଟାଲ ବେଡରେ ଜଣେ ରୋଗୀଙ୍କୁ ବେଡି ପକାଇବାକୁ ଅନୁମତି ଦେଲା କିଏ ?
– କେଉଁ ପୁଲିସ ମାନୁଆଲରେ ଏହା ଲେଖାଯାଇଛି ?
– କାହିଁକି ଆଇନକୁ ନିଜ ହାତକୁ ନେଲେ ଆଇଆଇସି ?
– ବ୍ୟକ୍ତିଗତ ଆକ୍ରୋଶ ପଛର କାରଣ କଣ ?

ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରୁ ନିନ୍ଦା କରାଯାଇଛି । ସ୍ଥାନୀୟ ବିଧାୟକ ଓ ସାମ୍ବାଦିକ ବାଲେଶ୍ୱର ଏସପିଙ୍କୁ ଭେଟି ତୁରନ୍ତ ବେଡି ଖୋଲିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଚାପ ପଡିବା ପରେ ଲୋକନାଥଙ୍କ ଗୋଡରୁ ବେଡି ଖୋଲିଦେଇଛି ପୁଲିସ । ଏବଂ ତାଙ୍କୁ ହସ୍ପିଟାଲର ଏକ କ୍ୟାବିନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ତାଙ୍କୁ ଏବେ ବି ବନ୍ଧୁକଧାରୀ ପୁଲିସ ଜଗି ରହିଛନ୍ତି ।

କେବଳ ପରିବାର ଲୋକଙ୍କ ଛଡା କାହାକୁ ଭେଟିବାକୁ ଛଡାଯାଉନାହିଁ । ଯାହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛନ୍ତି ଡିଜିପି । ସାମ୍ବାଦିକଙ୍କୁ କାହିଁକି ପକାଗଲା ହ୍ୟାଣ୍ଡକପ୍, ତା’ର ଅନୁଧ୍ୟାନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।