ଓଡ଼ିଆ ପୁଅଙ୍କ ନୂଆ ଉଦ୍ଭାବନ ! ଗରିବ କୁଡ଼ିଆରେ ନିର୍ମାଣ କଲେ ମଡର୍ଣ୍ଣ ରୋବର୍ଟ, ଚୋର ଧରିବ, ବୃଦ୍ଧ ବାପା ଓ ମା’ଙ୍କ ଦୁଃଖ ବି ବୁଝିବ

132

ଆଜିକାଲି ଯେଉଁଭଳି ଭାବେ ଅପରାଧ ବୃଦ୍ଧି ପାଉଛି ସେଭଳି ସ୍ଥିତିରେ ଘରେ ବୃଦ୍ଧ ବାପା ଓ ମା’ଙ୍କୁ ଏକା ଛାଡିବା ପାଇଁ ଭୟ ଲାଗୁଛି । କାରଣ ଅପରାଧୀ ମାନେ ଘରେ ପଶି କେବଳ ଲୁଟତରାଜ କରୁଛନ୍ତି ତାହା ନୁହେଁ ଏଥିରେ ବାଧା ସୃଷ୍ଟି କଲେ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି । ମନେ କରନ୍ତୁ ଘରେ କେବଳ ବୃଦ୍ଧ ବାପା-ମା’ ଅଛନ୍ତି ଆଉ ଘରେ ଚୋର ପଶିଯିବେ, ସେଭଳି ସ୍ଥିତିରେ କେମିତି ଏହି ସମସ୍ୟାର ମୁକାବିଲା କରିବେ ବୃଦ୍ଧ ବାପା-ମା’ । ବୟସ୍କଙ୍କୁ ଯଦି ଆପଣ ସମୟ ଦେଇ ପାରୁନାହାଁନ୍ତି, ତାହେଲେ ଆପଣ କ’ଣ କରିବେ । ଏହି ସବୁ ସମସ୍ୟାର ସମାଧାନ ଲକ୍ଷ୍ୟରେ ବାଲେଶ୍ୱର କାନପୁର ଯୁବ ବୈଜ୍ଞାନିକ ଉଦ୍ଭାବନ କରିଛନ୍ତି ଏମିତି ଏକ ରୋବଟ୍ ଯିଏ, ଏହି ସବୁ ସମସ୍ୟାର ମୁକାବିଲା କରିପାରିବ । ଜାଣନ୍ତୁ ଜଣେ ଯୁବ ବୈଜ୍ଞାନିକଙ୍କ ସଫଳ କାହାଣୀ ।

ମଣିଷର ଦୁଃଖ ବୁଝିବ ଯନ୍ତ୍ରମଣିଷ ! ଚୋର ଧରିବ, ବୁଢ଼ାବୁଢ଼ିଙ୍କ ଯତ୍ନ ବି ନେବ । ହଁ ଆଜ୍ଞା ଆମେ ସେହି ଯନ୍ତ୍ର ମଣିଷ ବା ରୋବର୍ଟର କଥା କହୁଛୁ ଯିଏ ମଣିଷଙ୍କୁ ସୁରକ୍ଷା ଦେବ, ଦୁଃଖସୁଖରେ ସାଥୀ ହେବ । ଏଭଳି ଏକ ରୋବର୍ଟର ଉଦ୍ଭାବନ କରିଛନ୍ତି ବାଲେଶ୍ୱର ଜିଲ୍ଲା କାନପୁର ଗାଁର ୨୦ ବର୍ଷିୟ ଯୁବ ବୈଜ୍ଞାନ ନୀଳ ମାଧବ ବେହେରା । ଆଉ ତାଙ୍କ ନାଁ ଅନୁସାରେ ଏହି ରୋବର୍ଟର ନାଁ ରଖିଛନ୍ତି ରୋବ୍-ନୀଲ୍ ।

ନୀଳମାଧବ ଉଦ୍ଭାବନ କରିଥିବା ଏହି ରୋବର୍ଟରେ ଲାଗିଛି ମୋସନ୍ ସେନସର, ଡିସଟାନ୍ସ ସେନସର ଏବଂ ସାଉଣ୍ଡ ସେନସର ଭଳି ଉପାଦାନ । ଯାହା ଆଗନ୍ତୁକର ଗତିବିଧି, କଥାବାର୍ତା ଏବଂ ଦୂରତ୍ୱ ଦେଖି ସେମାନଙ୍କ ଆଗମନକୁ ପରଖି ପାରିବ । ଯାହା ଫଳରେ ମଣିଷ ଆଡକୁ ଆସୁଥିବା ବିପଦକୁ ସହଜ ସୂଚାଇ ଦେବ ଏହି ରୋବର୍ଟ ।

ଘରେ ଏକୁଟିଆ ରହୁଥିବା ବୃଦ୍ଧବୃଦ୍ଧାକୁ ସହଯୋଗ କରିବା ସହ ସେମାନଙ୍କୁ ଯୋଗଇ ଦେଇପାରିବ ସୁରକ୍ଷା । ଦେଶର ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏହି ରୋବର୍ଟକୁ ଭବିଷ୍ୟତରେ ଉପଯୋଗ କରିହେବ ବୋଲି କହିଛନ୍ତି ନୀଳମାଧବ । କାରଣ ଏହି ରୋବର୍ଟକୁ ଏଭଳି ଭାବେ ବିକଶିତ କରାଯାଇଛି ଯେ, ଏହା ସୀମାର ଗୋଟିଏ ପାଶ୍ୱର୍ରେ ରହି ସାଟେଲାଇଟକୁ ଟ୍ରାକ କରିବା ସହ ଶତ୍ରୁପକ୍ଷର ଗତିବିଧି ଉପରେ ନଜର ରଖିପାରିବ ।

କୁଡ଼ିଆ ଘର, ମାଟିର ଚାରିକାନ୍ଥ ଭିତରେ ଏଭଳି ଏକ ଆବିଷ୍କାର କରିଛନ୍ତି ନୀଳ ମାଧବ । ଆର୍ଥିକ ଅନଟନ ଭିତରେ ନିଜର ସ୍ୱପ୍ନ ପୂରଣ କରିବାକୁ ଆଶା ରଖିଛନ୍ତି । ଏଭଳି ସ୍ଥିତିରେ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ପରିବାର ଲୋକ ।ନୀଳ ମାଧବଙ୍କ ଏହି କୃତିତ୍ୱ ପାଇଁ ଅନେକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସ୍ୱୀକୃତି । ଏମିତିକି ମୁଖ୍ୟମନ୍ତ୍ରୀ ମଧ୍ୟ ନୀଳମାଧବଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କିନ୍ତୁ ଆଗକୁ ସରକାରଙ୍କ ପୋତ୍ସାହନ ମିଳିଲେ ନିଜର ସ୍ୱପ୍ନ ପୂରଣ କରିବାକୁ ଆଶା ରଖିଛନ୍ତି ନୀଳମାଧବ ।