ସରିଲା ଘୋଷଯାତ୍ରା : ଆଜି ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂରତି

157

କନକ ବ୍ୟୁରୋ : ସରିଲା ଘୋଷ ଯାତ୍ରା । ୧୨ ଦିନର ଏହି ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ରଥାରୁଢ ଚତୁର୍ଦ୍ଧାମୂରତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ଜଗନ୍ନାଥ ମାନ ଭଞ୍ଜନ କରିବା ନୀତି ବଡ ଦେଉଳରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ନିର୍ଘଂଟ ନୀତି ଅନୁସାରେ ଆଜି ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢେ ୪ଟାରେ ମଇଲମ ଓ ତଡପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ ହୋଇଛି । ଅପରାହ୍ନ ସାଢେ ଗୋଟାଏରୁ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢେ ୩ଟାରେ ସିଂହାସନ ମାଜଣା କରାଯିବ । ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ନ ୪ଟାରୁ ପହଣ୍ଡି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେପଟେ ଗତକାଲି ଶ୍ରୀକ୍ଷେତ୍ରରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ ହୋଇଛି । ରାଘବ ଦାସ ଓ ବଡ଼ ଓଡିଆ ମଠ ପକ୍ଷରୁ ଅଧର ହାଣ୍ଡି ପ୍ରସ୍ତୁତ ହୋଇ ମଧ୍ୟାନ୍ନ ଧୂପ ପରେ ନୀତି ବଢି ଅଧର ପଣା ଭୋଗ ହୋଇଥିଲା ।

ଏହା ପରେ ହାଣ୍ଡି ଭଙ୍ଗା ଯିବାର ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ଅନୁସାରେ ପ୍ରତି ରଥରେ ତିନିଟି ଅଧର ଚୁମ୍ବିତ ହାଣ୍ଡି ରଥ ଉପରେ ବିଗ୍ରହ ମାନଙ୍କ ସମ୍ମୁଖରେ ରଖାଯାଇଥିଲା । ସେଥିରେ ସୁସ୍ୱାଦୁ ଓ ସୁଗନ୍ଧିତ ଦ୍ରବ୍ୟ ଯଥା କେଶର, ଲହୁଣୀ, ଛେନା, ସର, କ୍ଷୀର, ମିଶିରି, କର୍ପୁର ଏଭଳି ଅନକେ ଦ୍ରବ୍ୟ ପଡ଼ି ପ୍ରସ୍ତୁତ ହୋଇଥିଲା ଅଧର ପଣା । ସୁଆର ସେବାୟତ ଏହି ପଣା ପ୍ରସ୍ତୁତ କରିବା ସହ ପୂଜାପଣ୍ଡା ସାମନ୍ତ ଲାଗି କରିଥିଲେ ।